ଆଟ୍ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ସମ୍ମାନପ୍ରଦାନପୂର୍ବକ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି । ଏକଥା ଘୋଷଣା କରି ଜର୍ଜିଆର ଗଭର୍ଣ୍ଣର୍ ବ୍ରିୟାନ୍ କେମ୍ପ୍ କହିଛନ୍ତି ଯେ, ଭାରତରେ ବିକଶିତ ହୋଇଥିବା ହିନ୍ଦୁ ଐତିହ୍ୟ ଓ ବିବିଧତାଭରା ଆଧ୍ୟାତ୍ମିକ ପରମ୍ପରା ଉପରେ ଧ୍ୟାନ ଦିଆଯାଇ ଅକ୍ଟୋବର ମାସକୁ ସମ୍ମିଳିତ ଭାବେ ପାଳନ କରାଯିବ ।
ଉଲ୍ଲେଖଯୋଗ୍ୟ, ନବରାତ୍ରୀ ଓ ଦୀପାବଳି ଭଳି ପ୍ରମୁଖ ହିନ୍ଦୁ ପର୍ବପର୍ବାଣି ପଡୁଥିବାରୁ ହିନ୍ଦୁଧର୍ମ ଲାଗି ଅକ୍ଟୋବର ମାସ ଗୁରୁତ୍ୱପୂର୍ଣ୍ଣ ଅଟେ । ହିନ୍ଦୁ ଐତିହ୍ୟ, ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ହିନ୍ଦୁଧର୍ମୀମାନଙ୍କୁ ଜୀବନର ଅନେକ ସମସ୍ୟାର ସମାଧାନ ଯୋଗାଇ ଦେବା ସହିତ ମାର୍ଗଦର୍ଶିକା ଭାବେ ହିନ୍ଦୁ ଧର୍ମବାଣୀ ଅସଂଖ୍ୟ ବ୍ୟକ୍ତିଙ୍କ ପ୍ରେରଣା, ଚିନ୍ତନ ଓ ବିବେଚନାର ଉତ୍ସ ହୋଇ ପାରିଛି ବୋଲି ଉକ୍ତ ଘୋଷଣାନାମାରେ ଜର୍ଜିଆର ଗଭର୍ଣ୍ଣର୍ କହିଛନ୍ତି । ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଦ୍ଯୋଗୀ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟ ରାଜ୍ୟର ନାଗରିକମାନଙ୍କ ଜୀବନକୁ ସମୃଦ୍ଧ କରି ଜର୍ଜିଆ ରାଜ୍ୟରେ ପ୍ରାଣସ୍ପନ୍ଦନ ଭରିବାରେ ବିଶେଷ ଅବଦାନ ଦେଇଛନ୍ତି । ଆମେରିକୀୟ ହିନ୍ଦୁ ସଙ୍ଗଠନ ‘କୋଆଲିସନ୍ ଅଫ୍ ହିନ୍ଦୁ ଅଫ୍ ନର୍ଥ ଆମେରିକା’ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ହିନ୍ଦୁ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଗଭର୍ଣ୍ଣର୍ କେମ୍ପ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)
Prev Post