ନୂଆଦିଲ୍ଲୀ : ବହୁ ପ୍ରକାର କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ର ଯଥେଷ୍ଟ । ଜୁଲାଇରେ ସଂସଦରେ ଏହି ବିଲ୍ ଆଗତ ହୋଇଥିଲା । ବିଲ୍ ଆଗତ ହେବା ପରେ ଅକ୍ଟୋବର ୧ରୁ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି । ଏହି ନିୟମ ଲାଗୁ ହେବା ପରେ ଶିକ୍ଷାନୁଷ୍ଠାନରେ ନାମଲେଖାଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରି ପାଇଁ ଆବେଦନ ଆଦି ଲାଗି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯିବ । ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ଜାତୀୟ ଓ ରାଜ୍ୟ ସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାରେ ଏହା ସହାୟକ ହେବ । ଫଳରେ ସରକାରୀ ସେବାକୁ ଫଳପ୍ରଦ ଭାବେ ଓ ସ୍ୱଚ୍ଛ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇହେବ । ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣର ନିୟମଗୁଡ଼ିକର ପରିବର୍ତ୍ତନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଜନ୍ମ ଏବଂ ମୃତ୍ୟୁର ଏକ ଡାଟାବେସ୍ ପ୍ରସ୍ତୁତ କରିବା । ଏହି ନିୟମ ଲାଗୁ ହେବା ପରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସହଜରେ ଜନ୍ମ ଏବଂ ମୃତ୍ୟୁର ତଥ୍ୟ ସେୟାର କରିବାକୁ ସକ୍ଷମ ହେବେ । ଏଥିପାଇଁ ରାଜ୍ୟ ଦ୍ୱାରା ମୁଖ୍ୟ ରେଜିଷ୍ଟ୍ରାର ଏବଂ ରେଜିଷ୍ଟ୍ରାର ନିଯୁକ୍ତ ହେବେ । ମୁଖ୍ୟ ରେଜିଷ୍ଟ୍ରାର ରାଜ୍ୟ ସ୍ତରରେ ତଥ୍ୟ ବଜାୟ ରଖିବା କାର୍ଯ୍ୟ କରିବେ । ବ୍ଲକ ସ୍ତରରେ ଏହି କାର୍ଯ୍ୟ ରେଜିଷ୍ଟ୍ରାର ଦ୍ୱାରା କରାଯିବ । ଏହା ଦ୍ୱାରା ସମଗ୍ର ଦେଶରେ ଜନ୍ମ ଏବଂ ମୃତ୍ୟୁର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବାରେ ସହାୟକ ହେବ ଏବଂ ରାସନ କାର୍ଡ, ଭୋଟର ପରିଚୟ ପତ୍ର ଭଳି ଅନେକ ଡାଟା ଆଧାର ପ୍ରସ୍ତୁତ କରିବା ସହଜ ହେବ ।