ମୁମ୍ବାଇ: ପ୍ରଥମ ଥର ପାଇଁ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେକୁ ଏହାର ଜଣେ ପୁରାତନ ଛାତ୍ର ୧୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଚେକ୍ ଟି ପ୍ରଦାନ କରିଥିବା ଉକ୍ତ ପ୍ରତିଷ୍ଠାନର ପୁରାତନ ଛାତ୍ର ଜଣଙ୍କ ଏହି ଦାନ କଥା ସମ୍ପୂର୍ଣ୍ଣ ଗୁପ୍ତ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏ ଘଟଣାକୁ ‘ଆଇଆଇଟି-ବମ୍ବେ’ର ର୍ନିେଶକ ଶୁଭାଶିଷ ଚୌଧୁରୀ ମନ୍ଦିର ହୁଣ୍ଡିରେ ଲୋକେ ପକାଉଥିବା ଦାନ ଅର୍ଥ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, ପ୍ରଥମ କରି ଆମେ ଅଜ୍ଞାତ ସୂତ୍ରରୁ ଦାନ ପାଇଲୁ । କହିବାକୁ ଗଲେ, ଆମେରିକାରେ ଏଭଳି ଘଟଣା ଅତି ସାଧାରଣ । କିନ୍ତୁ, କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟକୁ ବ୍ୟକ୍ତିଗତ ଦାନ ଦେଇଥିବା ଦାତା ନିଜର ପରିଚୟ ଗୁପ୍ତ ରଖିବାକୁ କହିଥିବା ମୋର ମନେହୁଏ ନାହିଁ । ‘ଆଇଆଇଟି-ବମ୍ବେ’କୁ ପ୍ରଦତ୍ତ ଅର୍ଥ ଉଚିତ କାର୍ଯ୍ୟରେ ସଠିକ୍ ଭାବେ ବ୍ୟବହାର ହେବ ବୋଲି ଦାତା ଜାଣନ୍ତି । ବଜେଟ୍ ହ୍ରାସ ଯୋଗୁଁ ‘ଆଇଆଇଟି-ବମ୍ବେ’ ପ୍ରଭାବିତ ହୋଇ ‘ହାଇଅର୍ ଏଜୁକେସନ୍ ଫାଇନାନ୍ସିଆଲ୍ ଏଜେନ୍ସି’ ପାଖରୁ ଋଣ ଆଣୁଥିବା ବେଳେ ଉପରୋକ୍ତ ଅର୍ଥ ଦାନ ମିଳିଛି । ଏହି ଦାନ ଅର୍ଥରେ କ୍ୟାମ୍ପସ୍ରେ ‘ଗ୍ରିନ୍ ଏନର୍ଜି ଆଣ୍ଡ୍ ସସ୍ଟେନେବିଲିଟି ରିସର୍ଚ୍ଚ଼ ହବ୍’ ସ୍ଥାପନ କାର୍ଯ୍ୟରେ ବ୍ୟୟ ହେବ । ଏହାଛଡା, ଦାନ ଅର୍ଥର କିଛି ଅଂଶ ନୂଆ ଭିତ୍ତିଭୂମି ନିର୍ମାଣରେ ଲାଗିବ । କିନ୍ତୁ, ଏଥିରୁ ସବୁଠୁ ଅଧିକ ଅର୍ଥ ଗବେଷଣା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।