THE BYAPINI

ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ମହିଳା ସଂରକ୍ଷଣ ବିଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ପାରିତ ହୋଇଛି । ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପନ କରିଥିଲେ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ଲୋକସଭାରେ ଏହା ପାରିତ ହୋଇଛି । ଏହି ବିଲ୍‌ ସପକ୍ଷରେ ୪୫୪ ଓ ବିପକ୍ଷରେ ୨ଟି ଭୋଟ ପଡ଼ିଛି । ୨୦୧୦ରେ ରାଜ୍ୟଭାରେ ମହିଳା ସଂରକ୍ଷିତ ବିଲ୍‌ ପାରିତ ହୋଇଥିଲା । ତେବେ ଲୋକସଭାରେ ପ୍ରଥମଥର ପାଇଁ ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି । ଏହା ପରେ ରାଜ୍ୟସଭାରେ ଏହି ବିଲ ଉପସ୍ଥାପିତ ହେବ ବିଭିନ୍ନ ବିରୋଧି ଦଳର ସମର୍ଥନ ଥିବାରୁ ଏହା ରାଜ୍ୟ ସଭାରେ ମଧ୍ୟ ପାରିତ ହୋଇଯିବ ବୋଲି ଆଶା କରାଯାଉଛି । ଏହି ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ୨୦୨୯ ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଜଣାପଡିଛି ।
ତେବେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ । ସେ ଏହାକୁ ଅନୁମୋଦନ କରିବା ପରେ ମହିଳା ସଂରକ୍ଷଣ ବିଲ୍‌ଟି ଆଇନରେ ପରିଣତ ହେବ । ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ । ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ । ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ ଏବଂ ୨୦୨୭ରେ ଦେଶରେ ଜନଗଣନା କରାଯିବ ବୋଲି ସୂଚନା ମିଳିଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁଯାୟୀ ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ଆସନ ବଦଳିବ । ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ, ଯାହା ନିର୍ବାଚନ ଦ୍ୱାରା ପୂରଣ କରାଯିବ । ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦ ପାଇଁ ଲାଗୁ କରାଯିବ ନାହିଁ । ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡିକ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିବ । ତେବେ ବିଲ୍‌ରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.