ନୂଆଦିଲ୍ଲୀ : ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଛି । ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ଏନ୍ସିପି ଓ ବିଆରଏସ୍ ସମେତ ଅନ୍ୟ କେତେକ ଦଳ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ପ୍ରସ୍ତାବ ଦେଇଥିଲେ । ସର୍ବଦଳୀୟ ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର ନୂଆ ସଂସଦ ସୌଧରେ ଭାରତୀୟ ଗଣତନ୍ତ୍ରର ନୂତନ ଯୁଗ ଆରମ୍ଭ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ବର୍ତ୍ତମାନ ସଂସଦରେ ପ୍ରତି ୬୦ ଜଣ ପୁରୁଷ ସାଂସଦଙ୍କ ତୁଳନାରେ ମାତ୍ର ୪ ଜଣ ମହିଳା ସାଂସଦ ଅଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ୟାଜନକ । ସମାଜର ୫୦ ପ୍ରତିଶତ ଅଂଶ ମହିଳା ସମାଜକୁ ନ୍ୟାୟ ପ୍ରଦାନ ପାଇଁ ସରକାର ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ କରିଥିଲେ । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମୟର ଆବଶ୍ୟକତା ଦର୍ଶାଇ ବିଜେଡି ଏହି ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଥିଲେ । ବୈଠକରେ ବିଜେଡିର ରାଜ୍ୟସଭା ନେତା ଡ ସସ୍ମିତ ପାତ୍ର ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ଅଧିବେଶନ ସମୟରେ କଂଗ୍ରେସ ଦଳ ଦରଦାମ ବୃଦ୍ଧି, ବେକାରୀ, ଜାତିଆଣ ହିଂସା ଆଦି ପ୍ରସଙ୍ଗ ଉଠାଇବ ବୋଲି ସାଂସଦ ପ୍ରମୋଦ ତିୱାରୀ କହିଥିଲେ । ଏହି ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ନେତା ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ । ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରୁ ସଂସଦ କାର୍ଯ୍ୟ ପରିଚାଳନା କରାଯିବ ।