ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଉତ୍କଣ୍ଠା । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ କରିଛି । ପୂର୍ବରୁ କିଛି ସମସ୍ୟା ହେଲେ ଅବତରଣରେ ୩ ବା ୪ ଦିନ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଇସ୍ରୋ ଆଜି ଏହାର ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ଯେ ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏଥି ସହ ଇସ୍ରୋ ପକ୍ଷରୁ ଏକ ଲିଙ୍କ ସେୟାର କରାଯାଇଛି, ଯାହା ସାହାଯ୍ୟରେ ଜନସାଧାରଣ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିପାରିବେ । ଏହି ପ୍ରସାରଣ ବୁଧବାର ଅର୍ଥାତ ଆଜି ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ ।
ଇସ୍ରୋର ଅଫିସିଆଲ ୱେବ୍ସାଇଟ୍, ୟୁଟ୍ୟୁବ୍ ଓ ଫେସ୍ବୁକ୍ ପେଜ୍ରେ ଲୋକମାନେ ଏହାର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ । ତା’ଛଡା ଡିଡି ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଏହାର ପ୍ରସାରଣ କରାଯିବ ।
Get real time updates directly on you device, subscribe now.
