ଭୁବନେଶ୍ବର: ବିଏମ୍ସି ପ୍ରତିଷ୍ଠା କରିବାକୁ ଯାଉଛି ୪ଟି ବାୟୋମିଥେନ୍ ଗ୍ୟାସ୍ ପ୍ଲାଣ୍ଟ। ବିଏମ୍ସି ୪ଟି ଜାଗାରେ ଥିବା ଏସ୍ଟିପି ପରିସରରେ ଏହି ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି। ଏହି ୪ଟି ପ୍ଲାଣ୍ଟରେ ଦିନକୁ ୨ଶହ ଟନ୍ ଆବର୍ଜନା ପରିଚାଳନା ହେବ। ଏଥିରୁ ୪ଟନ୍ ଗ୍ୟାସ୍ ଉତ୍ପାଦନ ହେବ। ଗତ ଜାନୁଆରି ୬ ତାରିଖରେ ବସିଥିବା ସ୍ବତନ୍ତ୍ର ପରିମଳ ବୈଠକରେ ଏହି ଯୋଜନାକୁ କର୍ପୋରେସନର ସ୍ବୀକୃତି ମିଳିଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ‘ଏମ୍ପାୱାରମେଣ୍ଟ କମିଟି ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର୍’ ଏହାକୁ ମଞ୍ଜୁରି ପ୍ରଦାନ କରିଛି। ଏହି ପ୍ରକଳ୍ପ ପିପିପି ମୋଡ୍ରେ ପ୍ରସ୍ତୁତ କରାଯିବ। ପାର୍ଟନର ସଂସ୍ଥା ଚୟନ ପାଇଁ ବିଏମ୍ସି ଟେଣ୍ଡର ଆହ୍ବାନ କରିଛି। ପ୍ରତି ପ୍ଲାଣ୍ଟ ସ୍ଥାପନ ପାଇଁ ୨୫ କୋଟି ୩୦ ଲକ୍ଷ ହିସାବରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେବ ଏବଂ ସମ୍ପୃକ୍ତ ସଂସ୍ଥା ବହନ କରିବ। ବିଏମ୍ସି କେବଳ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବ। ଏଥିପାଇଁ ରୋକଟ, ମେହେରପଲ୍ଲୀ, କୋଚିଲାପୁଟ ଓ ବାସୁଆଘାଇରେ ଥିବା ଏସ୍ଟିପି(ମଳ ପରିଚାଳନା କେନ୍ଦ୍ର)ରେ ଜାଗା ଯୋଗାଇ ଦିଆଯାଇଛି। ଗୋଟିଏ ଗୋଟିଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨ରୁ ୨.୫ ଏକର ଜମି ଯୋଗାଇ ଦିଆଯାଇଛି। ଏହା ସଫଳ ହେଲେ ଏହାର କ୍ଷମତା ବଢ଼ିବ। ଏହି ପ୍ଲାଣ୍ଟରେ କେବଳ ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯିବ। ୪ ପ୍ଲାଣ୍ଟ ପାଇଁ ପ୍ରତ୍ୟେକ ଦିନ ଆବଶ୍ୟକ ହେଉଥିବା ୨ଶହ ଟନ୍ ଓଦା ବର୍ଜ୍ୟ ବିଏମ୍ସି ଯୋଗାଇ ଦେବ। ଚୁକ୍ତିନାମାର ବର୍ଷେ ମଧ୍ୟରେ ଠିକା ସଂସ୍ଥା ପ୍ଲାଣ୍ଟ ସ୍ଥାପନ କରିବ। ଅର୍ଥାତ୍ ୨୦୨୪ ଶେଷ ଆଡ଼କୁ ଏହି ପ୍ଲାଣ୍ଟରୁ ସିଏନ୍ଜି ଗ୍ୟାସ୍ ଉତ୍ପାଦନ ଆରମ୍ଭ ହୋଇ ଯାଇଥିବ। ଆସନ୍ତା ୨୯ ତାରିଖ ଯାଏଁ ଟେଣ୍ଡର ଅବଧି ରହିଛି।
ଏଥିରୁ ବାହାରିବାକୁ ଥିବା ଗ୍ୟାସ୍କୁ ବିଏମ୍ସି ନିଜ ଗାଡ଼ିରେ ବ୍ୟବହାର କରିବ। ଫଳରେ ଗାଡ଼ି ପାଇଁ ତେଲ(ଇନ୍ଧନ)ବାବଦରେ ହେଉଥିବା ଖର୍ଚ୍ଚ ବଞ୍ଚିବ। ଦୈନିକ ବାହାରୁଥିବା ସମସ୍ତ ଓଦା ଓ ଆମିଷ ବର୍ଜ୍ୟକୁ ବ୍ୟବହାର କରାଯାଇ ଗ୍ୟାସ୍ ପ୍ରସ୍ତୁତ ହେବ। ଏଥିରେ କେବଳ ବର୍ଜ୍ୟ ପରିଚାଳନା ହେବ ନାହିଁ ବରଂ ବିଏମ୍ସି ଲାଭବାନ୍ ହେବ। ଏମ୍ସିସିଗୁଡ଼ିକରେ ବର୍ଜ୍ୟ ପରିଚାଳନା ହୋଇ ଖତ ପ୍ରସ୍ତୁତ ହେଉଛି। ମେଗା ଏମ୍ସିସି ମଧ୍ୟ ନିର୍ମାଣାଧୀନ ରହିଛି।