ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ସଂଗ୍ରାମ କେଶରୀ ଜେନା ଗଞ୍ଜାମ ଜିଲ୍ଲା ବୁଗୁଡାରେ ତହସିଲଦାର ଥିବାବେଳେ ଏବେ ସେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ପରେ ସଂଗ୍ରାମଙ୍କ ସମ୍ପତ୍ତି ତାଙ୍କର ଆୟ ଠାରୁ ଯଥେଷ୍ଟ ଅଧିକ ବୋଲି ଭିଜିଲାନ୍ସ ସ୍ପଷ୍ଟ କରିଛନ୍ତି । ସଂଗ୍ରାମ ଜଣେ ଓଏଏସ୍ ଅଫିସର ହୋଇ ମଧ୍ୟ ଆୟ ଠାରୁ ଅଧିକ ସମ୍ପିତ୍ତି ଅର୍ଜନ କରିଛନ୍ତି । ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି । ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା । ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି । ତାଙ୍କର ୧୧ଲକ୍ଷ ଟଙ୍କାର ୪ଟି ପ୍ଲଟ୍ ରହିଛି । ସେଥିରୁ ୪ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି । ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କା ଅଗ୍ରୀମ ପୈଠ କରିଛନ୍ତି । ଏହି ସବୁ ପ୍ଲଟ୍ ଗୁଡିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବ ଜାରି ରଖିଛି ।