THE BYAPINI

ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି: ମନମୋହନ

Get real time updates directly on you device, subscribe now.

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ  କହିଛନ୍ତି। ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକ ପରେ ଶ୍ରୀ ସାମଲ ଏହା କହିଛନ୍ତି । 
 ବୈଠକରେ ଦଳର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଚିନ୍ତନ ବୈଠକରେ ଦଳର ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ ନେତାମାନଙ୍କୁ ଆଗାମୀ ନିର୍ବାଚନରେ ଜୋରଦାର ଢଙ୍ଗରେ ଲଢ଼େଇ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି। ଗତ ନିର୍ବାଚନରେ ୧୦ହଜାରରୁ କମ୍ ବ୍ୟବଧାନରେ ଦଳ ଯେଉଁ ସବୁ ବିଧାନସଭା ଆସନରେ ପରାଜିତ ହୋଇଥିଲା ସେଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ଏଭଳି ଆସନ ସଂଖ୍ୟା ପ୍ରାୟ ୪୫ଟି ହେବ ବୋଲି ଜଣାପଡ଼ିଛି। ସେହିପରି ପ୍ରାୟ ୧୬ଟି ନିର୍ଦ୍ଦିଷ୍ଟ ଲୋକସଭା ଆସନ ଉପରେ ଦଳ ନଜର ପକାଇଛି।

ଓଡ଼ିଶାରେ ଦଳକୁ ସଫଳତା କିଭଳି ମିଳିବ ସେଥିପାଇଁ କେନ୍ଦ୍ରୀୟ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ। ସେମାନେ ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମାର୍ଗକୁ ପ୍ରଶସ୍ତ କରାଇବେ। ଦଳର ବରିଷ୍ଠ ନେତାମାନେ ମଧ୍ୟ ଓଡ଼ିଶା ଆସି ନିର୍ବାଚନୀ ପ୍ରଚାର ଦାୟିତ୍ୱ ନେବେ। ଯୁବ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ଦଳ ନିଜ ସପକ୍ଷକୁ ନେବାକୁ ରଣନୀତି କରିଛି। ମକର ସଂକ୍ରାନ୍ତି ପରେ ଦଳର ସାଂଗଠନିକ କାର୍ୟ୍ୟକ୍ରମ ଓ ନିର୍ବାଚନୀ ପ୍ରଚାର କାର୍ୟ୍ୟକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି।
ଗତ ୩୦ତାରିଖରେ ବିଏଲ୍ ସନ୍ତୋଷ ଭୁବନେଶ୍ୱର ଆସି ଦଳୀୟ ନେତାମାନଙ୍କ ସହ ବୈଠକ କରିôଥବାବେଳେ ପୁଣିଥରେ ରାଉରକେଲା ଆସିବା ଓ ବୈଠକ କରିବାକୁ ରାଜନୀତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଜେପିରେ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଜେପି ନଡ୍ଡାଙ୍କ ପରେ ଶ୍ରୀ ସନ୍ତୋଷ ଅନ୍ୟତମ ପ୍ରଭାବଶାଳୀ ନେତା ଭାବେ ପରିଚିତ। ତେଣୁ ତାଙ୍କର ଘନଘନ ଓଡ଼ିଶା ଗସ୍ତ ଯୋଗୁ ବିଜେପି କର୍ମୀ ଓ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଦଳ ଆସନ୍ତା ସପ୍ତାହରୁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.