ଭୁବନେଶ୍ୱର : ୨୦୨୨ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାର ପ୍ରଥମ ପର୍ୟ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ହୋଇଛି। ଆଜି ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ- ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି। ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ। ଓଡ଼ିଶାର ପ୍ରାୟ ଏକ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଅନୁସାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ ।