ଭୁବନେଶ୍ୱର: ସମଗ୍ର ଦେଶରେ ଆତ୍ମହତ୍ୟା ହାର ଚିନ୍ତାଜନକ ହେଲା ବେଳେ ଓଡ଼ିଶାରେ ବାର୍ଷିକ ହାରାହାରା ୧୨.୩ ପ୍ରତିଶତ ଲୋକ ଆତ୍ମହତ୍ୟା କରୁଛନ୍ତି ଯାହାକି ଭାରତର ହାରରାରି ହାର ଠାରୁ ଅଧିକ ବୋଲି ଜଣାପଡିଛି । ଏଥିମଧ୍ୟରୁ ଯୁବବର୍ଗ ବା ୧୮ରୁ ୩୦ ବର୍ଷ ମଧ୍ୟରେ ୩୪.୫% ଲୋକ ଆତ୍ମହତ୍ୟା କରୁଛନ୍ତି । ଅପରପକ୍ଷରେ ପ୍ରାୟ ୧୧ ହଜାର ୧୮ ବର୍ଷରୁ କମ ବୟସର କିଶୋରକିଶୋରୀ ୨୦୨୧ରେ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ୧୦ ତାରିଖ ବିଶ୍ୱ ଆତ୍ମହତ୍ୟା ନିରୋଧକ ଦିବସ ପାଳନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ହୋଇଥିବା ସର୍ବକ୍ଷେଣରେ ଏଭଳି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବକ୍ଷେଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଯେତେ ସଂଖ୍ୟାରେ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଉଛନ୍ତି ତାହାର କୋଡିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।
ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଗଲା ଦଶ ବର୍ଷ ହେଲା ଭାରତରେ ବି ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିପାଇଁ ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ କୁହାଯାଉଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧,୬୪,୦୦୦ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ଭାରତରେ ସର୍ବାଧିକ ଆତ୍ମହତ୍ୟା ପ୍ରବଣ ରାଜ୍ୟ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର (୧୩.୫%), ତାମିଲନାଡୁ (୧୧.୫ %), ମଧ୍ୟପ୍ରଦେଶ (୯.୧%), ପଶ୍ଚିମବଙ୍ଗ (୮.୨%) । ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଓଡିଶାରେ ୫୬୫୧ ଜଣ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ଏଥିରେ ରହିଛନ୍ତି ୪୪୧୨ ଜଣ ପୁରୁଷ ଓ ୧୨୩୯ ଜଣ ମହିଳା । ଅର୍ଥାତ ରାଜ୍ୟରେ ପ୍ରତିଦିନ ହାରାହାରି ଭାବେ ୧୫ ଜଣ ଲୋକ ପ୍ରାଣ ହରାଉଛନ୍ତି । ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪% ଲୋକ ହେଉଛନ୍ତି ଓଡିଶାର । ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଓଡିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି ।
Get real time updates directly on you device, subscribe now.
Prev Post