ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମଙ୍ଗଳବାର ଦିନ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଶନିବାର ପ୍ରକାଶ ପାଇଛି ।
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ସଞ୍ଜୟ କିଷାନ କଉଲ୍ ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍ ଅଗଷ୍ଟ ୧୭ ତାରିଖରେ ଉଭୟଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ସୁପାରିସ କରିଥିଲେ । ସୁପ୍ରିମ୍ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଆଇନ ପେସାରେ କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଓକିଲ ଭାବେ ୩୦ବର୍ଷରୁ ଅଧିକ ସମୟ ହେବ ତାଙ୍କର ଅଭିଜ୍ଞତା ରହିଛି । ସେହିପରି ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ଅଦାଲତରେ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୨୩ ଜାନୁୟାରୀ ୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କ ଦୁଇ ବରିଷ୍ଠ ସହଯୋଗୀଙ୍କ ପରାମର୍ଶ ପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାମ ବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିସ କରିଥିଲେ । ଶ୍ରୀ ମିଶ୍ର ଓ ଶ୍ରୀ ବେହେରା ବିଚାରପତି ଭାବେ ଶପଥ ନେବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)
Next Post