କଟକ: କଟକ ବଡ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍) ରହିବନି । ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଓପିଡି ଟିକେଟ୍ କାଉଣ୍ଟର୍ ଖୋଲା ରହିବ । ଏସ୍ସିବି ଅଧୀକ୍ଷକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ ଅପରାହ୍ଣ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଓପିଡିରେ ରୋଗୀସେବା ମଧ୍ୟାହ୍ନଭୋଜନ ବିରତି ପାଇଁ ଘଣ୍ଟାଟିଏ ପୂର୍ବ ଭଳି ବନ୍ଦ ରହିବ । ତାହା ଅପରିବର୍ତ୍ତିତ ରହିଛି । ଟିକେଟ୍ କାଉଣ୍ଟର୍ ପାଇଁ ମଧ୍ୟାହ୍ନଭୋଜନ ବିରତି ବାତିଲ୍? କରାଯିବା ନେଇ ଏସ୍ସିବି କର୍ତ୍ତୃପକ୍ଷ ସଂପୃକ୍ତ ଆଉଟ୍ସୋର୍ସିଂ ସଂସ୍ଥା ‘ଷ୍ଟକ୍ହୋଲ୍ଡିଂ ଡକୁମେଣ୍ଟ ମ୍ୟାନେଜମେଣ୍ଟ୍ ସର୍ଭିସ୍ ଲିମିଟେଡ୍’କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏସ୍ସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କ ସୁବିଧା ଓ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।