THE BYAPINI

କଲେଜିୟମ ସୁପାରିସ ପ୍ରାର୍ଥୀଙ୍କୁ ପୁନର୍ବାର ଚୟନ ପାରିବେନି କେନ୍ଦ୍ର ସରକାର : ସୁପ୍ରିମ୍‌କୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେନ୍ଦ୍ର ସରକାର ପୁନର୍ବାର ଚୟନ କରି ଅନୁମୋଦନ ଦେବା ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମ୍‌କୋର୍ଟ। କଲେଜିୟମଙ୍କ ତାଲିକା ଭିତରୁ ସରକାର ପୁଣି ନିଜ ପସନ୍ଦରେ ବଛାବଛି କରୁଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଚାରପତି ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣିଙ୍କୁ କହିଛନ୍ତି, ସରକାର ନିର୍ଦ୍ଦିଷ୍ଟ ବିଚାରପତିଙ୍କୁ ଚୟନ କରିବା ଠିକ୍ ନୁହେଁ।

ଖଣ୍ଡପୀଠ କହିଛନ୍ତି ଯେ, ଆମେ ଆଶା କରୁଛୁ ଏପରି ପରିସ୍ଥିତି ଆସିବ ନାହିଁ ଯେଉଁଠାରେ ଏହି ଅଦାଲତ କିମ୍ବା କଲେଜିୟମକୁ କିଛି ନିଷ୍ପତ୍ତି ନେବାକୁ ପଡିବ ଯାହା ସରକାରଙ୍କ ପାଇଁ ରୁଚିକର ହୋଇନପାରେ। ତେବେ କିଛି ନିଯୁକ୍ତିକୁ ସରକାର ତ୍ବରାନ୍ବିତ କରିଥିବାରୁ ତାହାକୁ କୋର୍ଟ ପ୍ରଶଂସା କରିଥିଲେ। ଆଟର୍ଣ୍ଣି ଜେନେରାଲଙ୍କୁ କୋର୍ଟ କହିଥିଲେ ଯେ, ଯଦି କିଛି ନିଯୁକ୍ତି ଦିଆଯାଏ ଏବଂ କିଛି ଦିଆ ନ ଯାଏ, ତେବେ ଅନ୍ତର୍ବିଭାଗୀୟ ବରିଷ୍ଠତା ବାଧାପ୍ରାପ୍ତ ହୋଇଥାଏ। ସଫଳ ଓ ବରିଷ୍ଠ ଓକିଲମାନଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା କଷ୍ଟକର ହୋଇପଡ଼େ।

ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ବିଚାରାଧୀନ ସୁପାରିସ ଉପରେ ଖଣ୍ଡପୀଠ କହିଛନ୍ତି ଯେ, ବିଚାରପତି କେଉଁଠି କାମ କରିବେ ତାହା ନ୍ୟାୟପାଳିକା ଉପରେ ଛାଡ଼ି ଦିଆଯିବା ଉଚିତ। ଭେଙ୍କଟରମଣି ସରକାରଙ୍କ ସହ ଫଳପ୍ରଦ ଆଲୋଚନା ପାଇଁ ସମୟ ଦରକାର ବୋଲି କହିବାରୁ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦କୁ ଧାର୍ଯ୍ୟ କରିଛନ୍ତି। ଅଦାଲତ ଅବମାନନା ଅଭିଯୋଗରେ କେନ୍ଦ୍ର ଆଇନ ସଚିବଙ୍କୁ ସମନ କରିବାକୁ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.