କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବା ପାଇଁ ସରକାରଙ୍କର ପରାମର୍ଶ
ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହରଦୀପ୍ ସଂହ ନିଜ୍ଜର ହତ୍ୟା ଘଟଣାରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କ ବୟାନ ପରେ ଭାରତ କାନାଡା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । କାନାଡାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ କାନାଡ଼ା ଯିବାକୁ ଚାହୁଁଥିବା ନାଗରିକମାନେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଭାରତୀୟ ନାଗରିକମାନେ କାନାଡାର ଯେଉଁ ଅଞ୍ଚଳ ଏବଂ ସମ୍ଭାବ୍ୟ ସ୍ଥାନରେ ଭାରତ ବିରୋଧୀ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି ସେଠାକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ଖଲିସ୍ତାନୀ ଗୋଷ୍ଠୀଗୁଡ଼ିକ ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟମାନଙ୍କୁ ଟାର୍ଗେଟ୍ କରିବାକୁ ଖୋଲାଖୋଲି ଧମକ ଦେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ସେଠାରେ ଥିବା ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ମାଧ୍ୟମରେ ଏହି ଆଡଭାଇଜରିକୁ ଜାରି କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କାନାଡାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମର ହାଇ କମିଶନ/ଦୂତାବାସ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବ ।