ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ । ସେପ୍ଟେମ୍ବର ୪ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବେ । ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ ପାଇଁ ସୁଯୋଗ ମିଳିବନି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁଁ ନାମଲେଖାଇ ପାରି ନ ଥିବା ଓ ଆଦୌ ଆବେଦନ କରି ନ ଥିବା ପିଲାମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ସୁଯୋଗ ଦିଆଯାଇଛି । ତେବେ ଚଳିତ ମାସ ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ପ୍ରଦାନ କରାଯାଇଛି । ଉଚ୍ଚ଼ଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ନେଇ ସବିଶେଷ ମାର୍ଗଦର୍ଶିକା ପ୍ରକାଶ ପାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଯଦି ସିଟ୍ ମିଳିନଥାଏ କିମ୍ବା କୌଣସି କାରଣ ପାଇଁ ନାମ ଲେଖାଇ ପାରି ନ ଥାନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ବେଳେ ତାଙ୍କୁ ଆବେଦନ ଫି ଦେବାକୁ ପଡିବନାହିଁ । ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରିବାକୁ ଥିବାବେଳେ ୨୩ରୁ ୨୬ ତାରିଖ ମଧ୍ୟରେ ପିଲାମାନେ କଲେଜସ୍ତରରେ ରିପୋର୍ଟିଂ କରିବେ । ସାମ୍ସ ପୋର୍ଟାଲରେ ପିଲାଙ୍କ ନାମଲେଖା ତଥ୍ୟ ୨୬ ତାରିଖ ସନ୍ଧ୍ୟାରେ ଅପଡେଟ୍ ହୋଇଯି । ଅକ୍ଟୋବର ୩ ତାରିଖରେ ୱେଟିଂ ତାଲିକା ପ୍ରକାଶ ପାଇବ । ୬ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୭ ତାରିଖରେ ସମସ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ୍ କରାଯିବ ।