ରାଜନଗର : ଦିନକୁ ଦିନ ଲୋକଙ୍କୁ ଡରାଇବା ଆରମ୍ଭ କରିଛି କୁମ୍ଭୀର ଆକ୍ରମଣ । ଗତ ୭୫ଦିନରେ ୫ ଜଣଙ୍କ ଜୀବନ ନେଲାଣି କୁମ୍ଭୀର । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁଁ ସବୁ ମହଲରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ନଦୀ କୂଳିଆ ଅଞ୍ଚଳରେ ଗ୍ରାମବାସୀମାନଙ୍କୁ ସଚେତନ କରିବା ପାଇଁ ବନବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି । ଡଙ୍ଗାରେ ସଚେତନତା ବ୍ୟାନର ଓ ମାଇକ ବାନ୍ଧି ବନବିଭାଗ ପକ୍ଷରୁ ଜଳପଥରେ ଆଜିଠାରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଚେତନତା କାର୍ଯ୍ୟକ୍ରମ ହଂସୁଆ ନଦୀରୁ ଆରମ୍ଭ ହୋଇ ବ୍ରାହ୍ମଣୀ, କାଣି ନଦୀ ପର୍ଯ୍ୟନ୍ତ କରାଯିବ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ବିଜୟ କୁମାର ପାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ଆଜି ରାଜନଗର ହଂସୁଆ ନଦୀରୁ ବାହାରି ରାଜନଗର, କେରେଡାଗଡ, ରାଜପୁର, ବାଲି, ବେଲପାଳ, ନଗଡ, ଓସ୍ତିଆ, ସାହୁପଡା, ନଳଦିଆ, କଳଦିଆ, ଶ୍ରୀରାମପୁର ଦେଇ ମାଣିକପାଟଣାରେ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପ୍ରତି ଗାଁ ନିକଟରେ ବୋଟ ଲଗାଇ ବନକର୍ମଚାରୀମାନେ ଓହ୍ଲାଇବା ସହ ନଦୀରେ ଗାଧୋଉଥିବା ଲୋକମାନଙ୍କୁ ନଦୀରେ ନଗାଧୋଇବା ପାଇଁ ସଚେତନ କରୁଛନ୍ତି । ଏଥିସହ ପ୍ରତି ଗାଁ ନିକଟରେ କୁମ୍ଭୀର ସଚେତନତା ବୋର୍ଡ ମରାଯାଉଛି । କୌଣସି ପରିସ୍ଥିତିରେ ବି ନଦୀ ମଧ୍ୟରେ ନଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି । ଯେଉଁ ସ୍ଥାନରେ ଗାଧୋଇବା ପାଇଁ ବ୍ୟାରିକେଟ ଅଛି, ସେହି ବ୍ୟାରିକେଟ ମଧ୍ୟରେ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି । ଏହି ବୋଟ ଯୋଗେ ସଚେତନତା କାର୍ଯ୍ୟକ୍ରମ ୮ଦିନ ଧରି ଚାଲିବ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ନଦୀ କୂଳବର୍ତୀ ଗାଁ ନିକଟରେ ଏହି ସଚେତନତା ବୋଟ ପହଁଛିବ । ଚଉଦକୁଲାଟ ଠାରୁ ଆରମ୍ଭ କରି ଭୂଇଁପୁର ଯାଏଁ ଓ ରାଜନଗର ରୁ ଆରମ୍ଭ କରି ନଳଦିଆ ଯାଏଁ ସବୁଠି ବନକର୍ମଚାରୀମାନେ ବୋଟଯୋଗେ ପହଁଚି ଲୋକମାନଙ୍କୁ ସଚେତନ କରିବେ ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।