THE BYAPINI

କେଜରିୱାଲଙ୍କୁ ଇଡି ସମନ: ନଭେମ୍ବର ୨ ରେ ହେବେ ହାଜର

Get real time updates directly on you device, subscribe now.

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅବକାରୀ ନୀତି ଅନିୟମିତତା ମାମଲାରେ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଜେରା କରିଥିଲା। ଅବକାରୀ ନୀତି ଅନିୟମିତତା ମାମଲାରେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଛି। ଉଭୟ ମାମଲାରେ ସେ ଜାମିନ ଆବେଦନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଓ ଏସଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଅବକାରୀ ନୀତି ଅନିୟମିତତା ପଛରେ ଅର୍ଥ କାରବାର ହୋଇଥିବା ନେଇ ଆପାତତଃ ପ୍ରମାଣ ମିଳିଛି। ମାମଲାର ସ୍ଥିତି ଆଧାରରୁ ଜଣାପଡୁଛି ଯେ ଏହି ନୀତି ପ୍ରଣୟନ ପାଇଁ ୩୩୮ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ତେଣୁ ଏହାର ତଦନ୍ତ ଅଗ୍ରଗତି ହେବା ପରେ ସିସୋଦିଆ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଆବେଦନ କରିପାରିବେ। ମାମଲାର ବର୍ତ୍ତମାନ ତଦନ୍ତ ସ୍ଥିତି ଅନୁଯାୟୀ ଜାମିନ ପ୍ରଦାନ କରାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ସିସୋଦିଆ ଜାମିନ ଆବେଦନ କରିଲେ ଏହା ଉପରେ ବିଚାର କରାଯିବ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବାବେଳେ ଏହି ଅନିୟମିତତା ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆପ୍ ଦଳ ଅସନ୍ତୋ​‌ଷ ବ୍ୟକ୍ତ କରିଛି। ସିସୋଦିଆଙ୍କ ଜାମିନକୁ ଅଗ୍ରାହ୍ୟ କରି ଯେଉଁ ରାୟ ଦିଆଯାଇଛି ଦଳ ତାକୁ ଗ୍ରହଣ କରିପାରୁ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଆପ୍ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିସନ) ଦାୟର କରିବାକୁ ଯୋଜନା କରୁଥିବା ଜଣାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.