କ୍ରିକେଟର ଶାମିଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଶାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ଆଇସିସି ବିଶ୍ବକପ ୨୦୨୩ରେ ଉଚ୍ଚକୋଟିର ପ୍ରଦର୍ଶନ ଯୋଗୁଁ ଅର୍ଜୁନ ପୁରସ୍କାର ପାଇଁ ଶାମିଙ୍କୁ ମନୋନୀତ କରାଯାଇଥିଲା ।
ଗତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପରେ ଶାମି ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୭ଟି ମ୍ୟାଚ ଖେଳିଥିବା ଭାରତୀୟ ଷ୍ଟାର ପେସର୍ ମହମ୍ମଦ ଶାମି ୨୪ଟି ୱିକେଟ୍ ନେଇ ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଟେକର୍ ପାଲଟିଥିଲେ । ଏପରିକି ସେମିଫାଇନାଲ୍ରେ ୭ଟି ୱିକେଟ୍ ଦଖଲ କରି ସେ ଏକାକୀ ଦଳକୁ ଫାଇନାଲ୍ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶ୍ବକପ୍ରେ ଏଭଳି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଏବେ ଶାମିଙ୍କୁ ଏହାର ପୁରସ୍କାର ମିଳିଛି । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ଶାମିଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା ।