କଟକ: କ୍ରିପ୍ଟୋ କରେନ୍ସିରେ ନିବେଶ କରି ଅଧିକ ଟଙ୍କା ପାଇବା ଲୋଭରେ ଫସି ୧୧.୮ ଲକ୍ଷ ଟଙ୍କାର ଲୁଟ୍ର ଶୀକାର ହୋଇଛନ୍ତି କଟକର ଜଣେ ମହିଳା ବ୍ୟାଙ୍କ ଅଧିକାରୀ । ସାଇବର୍ ଅପରାଧୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୧ ଲକ୍ଷ ୭୯ ହଜାର ୯୫୦ ଟଙ୍କା ଲୁଟି ନେଇଛନ୍ତି । ଏହି ବ୍ୟାଙ୍କ ଅଧିକାରୀ ସାଇବର ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ନକଲି କ୍ରିପ୍ଟୋ କରେନ୍ସି ୱେବ୍ସାଇଟରେ ଏହି ଅର୍ଥ କାରବାର ହୋଇଥିବା ବେଳେ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ସାଇବର ଥାନା ପୁଲିସ ଉକ୍ତ ଆକାଉଣ୍ଟ ଠାବ କରିଥିବା ସୂଚନା ମିଳିଛି ।
ଗଲା ୧ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି ବ୍ୟାଙ୍କ୍ ଅଧିକାରୀ ଜଣକ କ୍ରିପ୍ଟୋ କରେନ୍ସିରେ ନିବେଶ ପାଇଁ ୧୧ ଲକ୍ଷ ୭୯ ହଜାର ୯୫୦ ଜମା କରିଥିଲେ ମଧ୍ୟ ଏହି କ୍ରିପ୍ଟୋ କରେନ୍ସିକୁ ଉକ୍ତ ୱେବ୍ସାଇଟରେ ବିକ୍ରି କରିପାରି ନଥିଲେ । ସମସ୍ତ ଟଙ୍କା ସେଠାରେ ଫସି ରହିଥିଲା । ଯେଉଁ ହ୍ୱାଟସଆପ୍ ନମ୍ବରରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା, ଉକ୍ତ ନମ୍ବରରେ ଫୋନ୍ କରିବାରୁ ଯୋଗାଯୋଗ ସମ୍ଭବ ନହେବାରୁ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ଶୁକ୍ରବାର ରାତିରେ ବ୍ୟାଙ୍କ ଅଧିକାରୀ ଜଣକ କଟକ କମିସନରେଟ୍ ପୁଲିସର ସାଇବର ଥାନାରେ ଅଭିଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗଲା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କଟକ କମିସନରେଟ୍ ପୁଲିସ ୧୮ଟି କ୍ରିପ୍ଟୋ କରେନ୍ସି ଠକେଇ ମାମଲା ସାଇବର ଥାନାରେ ଦାଖଲ କରିଛି । ଏଥିରେ ମୋଟ ୨ କୋଟି ୮୦ ଲକ୍ଷ ଟଙ୍କା ଲୁଟ ହୋଇସାରିଲାଣି ଏବଂ ୫ ମାସରେ ୧୮ ଜଣରୁ ଅଧିକ ଶିକ୍ଷିତ ଲୋକ ଏହି ଠକାମୀର ଶିକାର ହୋଇଛନ୍ତି । ଏହି ଲୁଟରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ୬ ଜଣ ଫସିଥିବା ବେଳେ, ଇଞ୍ଜିନିୟର ୩ ଜଣ ଅଛନ୍ତି । ଏହାବାଦ ଆଇଟି ବୃତ୍ତିଧାରୀ ଓ ବ୍ୟବସାୟୀ ବି ଠକେଇର ଶିକାର ହୋଇଥିବା ସାଇବର ଥାନା ପୁଲିସ ପକ୍ଷରୁ କୁହାଯାଇଛି ।
Get real time updates directly on you device, subscribe now.

Prev Post