ବାରଙ୍ଗ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ପର୍ଯ୍ୟଟକମାନେ ନନ୍ଦନକାନନ ରୋପ୍ୱେର ମଜା ନେଇପାରିବେ। ଆଜି ସଫଳତାର ସହ ରୋପ୍ୱେ ଚାଲିବା ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡଳୀସ୍ଥିତ ଏନ୍ଡିଆର୍ଏଫ୍ ଏହି ମକ୍ ଡ୍ରିଲ୍ କରିଥିଲେ। ଆଜି ଏନ୍ଡିଆର୍ଏଫ୍ ଟିମ୍ର କିଛି ଯବାନ ଯାତ୍ରୀ ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାର୍ଶ୍ବରୁ ରୋପ୍ୱେ କ୍ୟାବିନ୍ରେ ବସି ଯାତ୍ରା କରିଥିଲେ। କାଞ୍ଜିଆ ହ୍ରଦ ଉପରେ ମଝିରେ ହଠାତ୍ କ୍ୟାବିନ୍ ଅଟକି ରହିଥିଲା। ଯାନ୍ତ୍ରିକତ୍ରୁଟି ହେତୁ କ୍ୟାବିନ୍ ଅଟକି ରହିଛି ଏବଂ ଯାତ୍ରୀମାନେ ବିଚଳିତ ନ ହୋଇ ଧୈର୍ଯ୍ୟର ସହ ବସି ରୁହନ୍ତୁ, ଆପଣମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଡାକବାଜି ଯନ୍ତ୍ରରେ କୁହାଯାଇଥିଲା। ନିର୍ଦ୍ଦେଶ ପାଇ ଜଣେ ଯବାନ ରଶି ସାହାଯ୍ୟରେ ଯାଇ କ୍ୟାବିନ୍ ଉପରେ ପହଞ୍ଚିଥିଲେ। କ୍ୟାବିନ୍ ଭିତରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଆଶ୍ବସ୍ତ କରିଥିଲେ। ସେତିକିବେଳେ ଅନ୍ୟ ଏକ ଟିମ୍ ବୋଟ୍ ନେଇ କାଞ୍ଜିଆ ହ୍ରଦ ଭିତରେ ଠିକ୍ ଝୁଲି ରହିଥବା କ୍ୟାବିନ୍ ତଳେ ପହଞ୍ଚିଥିଲା। ପ୍ରଥମେ କ୍ୟାବିନ୍ରେ ପହଞ୍ଚିଥିବା ଯବାନ ଏକ ଲମ୍ବା ରଶିକୁ ନେଇ କ୍ୟାବିନ୍ ହୁକ୍ରେ ଲଗାଇଥିଲେ।
ଜଣେ ଯବାନ କ୍ୟାବିନ୍ ଭିତରେ ପଶି ଜଣ ଜଣ କରି ଫସି ରହିଥିବା ପର୍ଯ୍ୟଟକଙ୍କୁ ରଶି ସାହାଯ୍ୟରେ ଝୁଲାଇ ତଳେ ଥିବା ବୋଟ ଭିତରକୁ ଓହ୍ଲାଇଥିଲେ। ଏହାପରେ ସମସ୍ତ ପର୍ଯ୍ୟଟକଙ୍କୁ ନେଇ ବୋଟ୍ଟି ହ୍ରଦ କୂଳକୁ ଆସିଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପରେ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇଛି। ପ୍ରତି କ୍ୟାବିନ୍ରେ ୬ ଜଣ ଲେଖାଏଁ ୧୨ଟି କ୍ୟାବିନ୍ରେ ୭୨ଜଣ ପର୍ଯ୍ୟଟକ ଯାତ୍ରା କରିବାର ବ୍ୟବସ୍ଥା ରହିଛି। ଆଜି ମକ୍ ଡ୍ରିଲ୍ ବେଳେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ଏସିଏଫ୍ ଶରତ କୁମାର ସାହୁ, ରାଜସ୍ବ ବିଭାଗ ବନାଞ୍ଚଳ ଅଧିକାରୀ ସରୋଜ କୁମାର ପଣ୍ଡା, ସ୍ବତନ୍ତ୍ର ପ୍ରକଳ୍ପ ବନାଞ୍ଚଳ ଅଧିକାରୀ ରଞ୍ଜିତ୍ ମହାନ୍ତି,ଏନ୍ଡିଆର୍ଏଫ୍ କମାଣ୍ଡର ଅରୁଣ୍ ଦେବଗନ୍ ଓ ଦାମୋଦର ରୋପ୍ୱେର ଅଧିକାରୀମାନେ ଉପସ୍ଥିତ ଥିଲେ।