ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତଙ୍କ ବେକରେ ଫୁଲମାଳ ପିନ୍ଧାଇ ଗଣତନ୍ତ୍ର ସୁରକ୍ଷା ପାଇଁ ମିଛରେ କାନ୍ଦୁୁଛି ବିଜେପି:ସସ୍ମିତ ପାତ୍ର
ଭୁବନେଶ୍ୱର: ଗୁଣ୍ଡାଗର୍ଦ୍ଦି ରାଜନୀତି ବିଜେଡି ବିଚାରଧାରାର କେବେ ବି ସ୍ଥାନ ପାଇନାହିଁ । ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡି ମହିଳାଙ୍କ ଦ୍ୱାରା ତାଙ୍କ ସଭାସ୍ଥଳରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଅଭିଯୋଗକୁ ଖଣ୍ଡନ କରି ଆଜି ଗଣମାଧ୍ୟମକୁ ଏହା କହିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟିନଥିଲା । ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ଯେ ଚିଲିକାର ତକ୍ରାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ । ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ ଓ ପରେପରେ ଦଳରୁ ବହିଷ୍କାର କରିଥିଲେ, କାରଣ ସେ ଗୁଣ୍ଡାଗର୍ଦ୍ଦିର୍ ଉପରେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ସେହି ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଇ ଧର୍ମେନ୍ଦ୍ର ପ୍ରଧାନ ଆପଣାଇବାକୁ ପ୍ରସ୍ତୁତ । ଧର୍ମେନ୍ଦ୍ରଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରଶାନ୍ତ ପ୍ରସ୍ତୁତି କରୁଛନ୍ତି । ଏଭଳି କାମ କରି ଓଡ଼ିଶାର ଲୋକମାନଙ୍କ ପାଇଁ ଧର୍ମେନ୍ଦ୍ର କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି । ଏଥିସହିତ ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ ଏବଂ ଓଡ଼ିଶାର ଲୋକଙ୍କୁ ଏହା ଦ୍ୱାରା କି ବାର୍ତ୍ତା ଦେବାକୁ ଧର୍ମେନ୍ଦ୍ର ଚାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।