THE BYAPINI

ଚଳିତ ବର୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର: ଚଳିତ ବର୍ଷ ଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ ନୂଆ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏନେଇ ରୂପରେଖ ପ୍ରସ୍ତୁତ ସରିଛି ଓ ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ନୂଆ ତିନି ପୁରସ୍କାର ପାଇଁ ଏକାଡେମୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାବେଳେ ତାହା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ କରି ଓଡ଼ିଶା ସାହିତ୍ୟ ଏକାଡେମୀ ଭକ୍ତି ସାହିତ୍ୟ ପୁରସ୍କାର ପ୍ରଦାନ କରିବ । ୬୦ ବର୍ଷ କିମ୍ବା ଅଧିକ ବୟସର ସ୍ରଷ୍ଟା ଯିଏ କି ଭକ୍ତି ସାହିତ୍ୟ ଲେଖିଥିବେ ତାଙ୍କୁ ଏ ପୁରସ୍କାର ନିମନ୍ତେ ମନୋନୟନ କରାଯିବ । ଏଥିପାଇଁ ସେ ୧୦ରୁ ଅଧିକ ମୌଳିକ ସଂକଳନ କରିଥିବା ଆବଶ୍ୟକ । ଏଥିରେ ପୁରସ୍କାର ରାଶି ରହିଛି ୨ ଲକ୍ଷ ଟଙ୍କା । ସେହିପର ଓଡ଼ିଆ ସହିତ ବିଭିନ୍ନ ଭାଷାରେ ୩ ଶହରୁ ଅଧିକ ପୁସ୍ତକ ପ୍ରକାଶ କରିଥିବା ପ୍ରକାଶକ ସଂସ୍ଥାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶକ ସମ୍ମାନ ଦିଆଯିବ । ପୁରସ୍କାର ବାବଦରେ ରାଶି ରହିଛି ୨ ଲକ୍ଷ ଟଙ୍କା । ଯୁବ ସାହିତ୍ୟିକଙ୍କୁ ଉତ୍ସାହିତ କରିବା ନିମନ୍ତେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ । ୧୧ ବର୍ଗରେ ଏହି ପୁରସ୍କାର ଦିଆଯିବାକୁ ଥିବାବେଳେ ପ୍ରତ୍ୟେକ ବିଭାଗରେ ପୁରସ୍କାର ରାଶି ରହିଛି ୫୦ ହଜାର ଟଙ୍କା । ଅନ୍ୟପକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ଅନ୍ତର୍ଜାତୀୟ ସାରଳା ଦାସ ସାରସ୍ୱତ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ୬୦ କିମ୍ବା ଅଧିକ ବୟସର ସ୍ରଷ୍ଟାଙ୍କୁ ୧୦ରୁ ଅଧିକ ମୌଳିକ ସଂକଳନ ଉପରେ ମନୋନୀତ କରାଯିବ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସାମଗ୍ରିକ କୃତୀ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଯାହାର ପୁରସ୍କାର ରାଶି ରହିଛି ୧୦ ଲକ୍ଷ ଟଙ୍କା । ତେବେ ଏହି ନୂଆ ୫ ପୁରସ୍କାର ବାବଦରେ ବାର୍ଷିକ ଅଧିକ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.