ମସ୍କୋ: ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଜଣାଇବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ ଚୀନ୍ ଗସ୍ତ କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି । ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଗତ ମାର୍ଚ୍ଚ ମାସରେ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରମିନାଲ କୋର୍ଟ (ଆଇସିସି) ପୁଟିନ୍ଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ।
ସୋମବାର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ତାଙ୍କ ତରଫରୁ ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଜି୨୦ ବୈଠକରେ ଯୋଗ ଦେବେ ବୋଲି ଜଣାଇଥିଲେ । ବର୍ତ୍ତମାନ ସମୟରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଜଟିଳ ହେଉଥିବାବେଳେ ଜି-୨୦ ବୈଠକରେ ଯୋଗ ନଦେଇ ପୁଟିନ୍ ଆସନ୍ତା ଅକ୍ଟୋବରରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ବେଲ୍ଟ ଆଣ୍ଡ ରୋଡ୍ କନକ୍ଲେଭରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସମ୍ମତି ପ୍ରକାଶ କରିଛନ୍ତି ।
ହେଗ୍ସ୍ଥିତ କୋର୍ଟ ଗିରଫ ପରୱାନା ଜାରି କରିବା ପରଠାରୁ ପୁଟିନ ଯୁଦ୍ଧ-ପୀଡିତ ୟୁକ୍ରେନ୍ ଛଡା ରୁଷ୍ ସୀମାରୁ ବାହାରକୁ ଯାଇ ନାହାନ୍ତି । ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ସେ ଯୋଗ ଦେଇନଥିଲେ । ଦକ୍ଷିଣ ଆଫ୍ରିକା ଆଇସିସିର ଅନ୍ୟତମ ସ୍ୱାକ୍ଷରକାରୀ ହୋଇଥିବାରୁ ନିୟମାନୁଯାୟୀ ତାଙ୍କ ଦେଶରେ ପାଦ ଦେଲେ ସେଠାରେ ପୁଟିନଙ୍କୁ ଗିରଫ କରାଯାଇଥାନ୍ତା । ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ପୁଟିନ ଶେଷଥର ପାଇଁ ଚୀନ୍ ଯାଇଥିଲେ ।