ଜି-୨୦ରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ୍ କନେକ୍ଟିଭିଟି କରିଡର ହେବ ଗେମ୍ ଚେଞ୍ଜର
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଭାରତ ଶନିବାର ଏକ ଆଧୁନିକ ‘ସ୍ପାଇସ୍ ରୁଟ୍’ ନିର୍ମାଣ ପାଇଁ ଯୋଜନାର ଉଦ୍ଘାଟନ କରିଛନ୍ତି । ଏହି ଯୋଜନା ବ୍ୟାପକ ରାଜନୈତିକ ପ୍ରଭାବ ପକାଇବା ସହିତ ବାଣିଜ୍ୟିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ । ଅନ୍ୟ ପକ୍ଷରେ ପ୍ରସ୍ତାବିତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ୍ କନେକ୍ଟିଭିଟି କରିଡର ଚୀନର ବହୁଚର୍ଚ୍ଚିତ ‘ବେଲ୍ଟ ଆଣ୍ଡ ରୋଡ୍’ ପ୍ରକଳ୍ପକୁ ଏହା ଝଟକା ଦେଇପାରେ ବୋଲି ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ହେଉଛି । ଏହି ଯୋଜନା ଚୀନର ବହୁଚର୍ଚ୍ଚିତ ‘ବେଲ୍ଟ ଆଣ୍ଡ ରୋଡ୍’ ପ୍ରକଳ୍ପର ଏକ ରଣନୀତିକ ଜବାବ ବୋଲି କୁହାଯାଉଛି । କାରଣ, ତଥାକଥିତ ବିଆରଆଇ ୟୁରୋପ, ଆଫ୍ରିକା, ଏସିଆ ଏବଂ ଲାଟିନ ଆମେରିକାରେ ଚୀନର ପ୍ରଭାବ, ପୁଞ୍ଜିନିବେଶ ଏବଂ ବାଣିଜ୍ୟ ବିସ୍ତାର କରିଛି । ୱିଲସନ ସେଣ୍ଟରରେ ଥିବା ସାଉଥ୍ ଏସିଆ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ମାଇକେଲ କୁଗେଲମ୍ୟାନ୍ ଏକ୍ସରେ ଲେଖିଛନ୍ତି, ‘ଯଦି ଏହା ଚୂଡାନ୍ତ ହୁଏ, ତେବେ ଏହା ଏକ ଗେମ୍ଚେଞ୍ଜର ହେବ । ଯାହା ଭାରତ ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ବିଆରଆଇର ମୁକାବିଲା କରିବାକୁ ଲକ୍ଷ୍ୟ ରଖିବ ।
ଆମେରିକା, ସାଉଦି ଆରବ, ୟୁରୋପୀୟ ସଂଘ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ୟମାନେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଏହି ତିନିଟି ଅଞ୍ଚଳର ଡାଟା, ରେଳବାଇ, ବନ୍ଦର, ବିଦ୍ୟୁତ୍ ନେଟୱାର୍କ ଏବଂ ହାଇଡେ୍୍ରାଜେନ୍ ପାଇପ୍ ଲାଇନ୍ ସଂଯୋଗ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଏହା ଏକ ବାଣିଜ୍ୟଭିତ୍ତିକ ଯୋଜନା ହୋଇଥିଲେ ମଧ୍ୟ ଏହା ବଡ ଧରଣର ରାଜନୈତିକ ପରିବର୍ତ୍ତନ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।
ଏହି ଯୋଜନାର ସ୍ୱାକ୍ଷରକାରୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ଏହା ଭାରତର ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ବିଶାଳ ବଜାରକୁ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଯୋଡିବାରେ ସହାୟକ ହେବ, ଚୀନର ବିଶାଳ ଭିତ୍ତିଭୂମି ଖର୍ଚ୍ଚକୁ ସନ୍ତୁଳିତ କରିବ, ମଧ୍ୟପ୍ରାଚ୍ୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଇସ୍ରାଏଲ ଓ ଆରବ ଉପସାଗରୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବାରେ ସହାୟକ ହେବ । ‘ଏହି ପ୍ରସ୍ତାବିତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଏକ ଐତିହାସିକ ଘଟଣା’ ବୋଲି ୟୁରୋପୀୟ ଆୟୋଗର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍ କହିଛନ୍ତି ।
ଏହି ପ୍ରସ୍ତାବିତ ପ୍ରକଳ୍ପ ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ, ଜୋର୍ଡାନ ଏବଂ ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟରେ ରେଳ ଏବଂ ବନ୍ଦର ସୁବିଧାକୁ ସଂଯୋଗ କରିବ ଯାହା ଭାରତ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରିବ । ମିଳିଥିବା ସୂଚନା ଅନୁଯାୟୀ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡରରେ ସମୁଦ୍ର ତଳ କେବୁଲ ମାଧ୍ୟମରେ ଟେଲିଯୋଗାଯୋଗ ଏବଂ ଡାଟା ସ୍ଥାନାନ୍ତରକୁ ସୁଦୃଢ଼ କରିବ ।