THE BYAPINI

ଜେଲ୍‌ଗଲେ ଓଏମ୍‌ଭିଡି ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର

Get real time updates directly on you device, subscribe now.

ଭୁବନେଶ୍ବର: ରାତି ଅଧିଆ କାର୍‌ରେ ଲକ୍ଷାଧିକ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ଜଣେ ଟ୍ରାଫିକ୍‌ ଇନ୍‌ସ୍ପେକ୍ଟରଙ୍କୁ ରାଜ୍ୟ ଭିଜିଲାନ୍ସ ଟିମ୍‌ କାବୁ କରଛି। ସେ ହେଲେ ତାଳଚେର ଆର୍‌ଟିଓ ଓଏମ୍‌ଭିଡି ଟ୍ରାଫିକ୍‌ ଇନ୍‌ସ୍ପେକ୍ଟର ଜିତେନ୍ଦ୍ର କୁମାର ବେହେରା(୪୦)। ଜେରା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ସେ ୨୦୧୫ ମସିହାରେ ଚାକିରିରେ ଯୋଗଦେଇଥିବା ବେଳେ ଗତ ଦୁଇ ବର୍ଷ ହେବ ତାଳଚେରର ଆର୍‌ଟିଓରେ ନିଯୁକ୍ତି ପାଇଥିଲେ। ମାତ୍ର ୮ବର୍ଷ ମଧ୍ୟରେ ଲକ୍ଷ ଲକ୍ଷର କଳା ଟଙ୍କା ଠୁଳ କରିଥିଲେ। ତାଙ୍କଠାରୁ ନଗଦ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା, ୩୩୬ ଗ୍ରାମର ସୁନା ଗହଣା ଓ ଏକ ସ୍କୋଡା ରାପିଡ୍‌ କାର୍‌ ଜବତ କରାଯାଇଛି। ସୂଚନା ମୁତାବକ, ଦୀର୍ଘଦିନ ହେବ ଜିତେନ୍ଦ୍ରଙ୍କ ନାମ‌ରେ ଭିଜିଲାନ୍ସରେ ଅଭିଯୋଗ ହୋଇ ଆସୁଥିଲା। ସେ ବିଭିନ୍ନ ସମୟରେ କୋଇଲା ଟ୍ରକ୍‌, ବାଣିଜ୍ୟିକ ଯାନରୁ ବିଭିନ୍ନ ନିୟମ ଦେଖାଇ ଟଙ୍କା ଆଦାୟ କରୁଥିଲେ।
ଏମିତିକି ଗାଡ଼ିମାଲିକ, ଚାଳକ ଓ ଆସୋସିଏସନ୍‌ ଗୁଡ଼ିକରୁ ମାସିକିଆ ନେଉଥିଲେ। ବାରମ୍ବାର ଅଭିଯୋଗ ଆସିବା ପରେ ତାଙ୍କ ଉପରେ ଭିଜିଲାନ୍ସର ତୀକ୍ଷ୍ଣ ନଜର ରହିଥିଲା। ତେବେ ୧୧ ତାରିଖ ବିଳମ୍ବିତ ରାତିରେ ଶ୍ରୀ ବେହେରା ଏକ ସ୍କୋଡା କାର୍‌‌ରେ ଲକ୍ଷାଧିକ ଟଙ୍କା ନେଇ ତାଳଚେରରୁ ପୁରୀ ଜିଲ୍ଲା ଅସ୍ତରଙ୍ଗସ୍ଥିତ ପୈତୃକ ଘରକୁ ଯାଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ହାତରେ ଖବର ଲାଗିଥିଲା। ତୁରନ୍ତ ଏକ ଟିମ୍‌ ପିଛା କରି ତାଙ୍କୁ ବାଲିଅନ୍ତା ତ୍ରିନାଥବଜାର ନିକଟରେ ଅଟକାଇଥିଲା। କାର୍‌କୁ ଯାଞ୍ଚ ବେଳେ ସେଥିରୁ ନଗଦ ୧୧ ଲକ୍ଷ ୧୯ ହଜାର ୧୫୦ ଟଙ୍କା ଜବତ କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ କାର୍ୟ୍ୟାଳୟକୁ ଅଣାଯିବା ସହ ସକାଳୁ ସକାଳୁ ୩ଟି ଟିମ୍‌ ସମାନ୍ତରାଳ ଭାବେ ଶ୍ରୀ ବେହେରାଙ୍କ ଅସ୍ତରଙ୍ଗସ୍ଥିତ ଘର ସମେତ ତାଳଚେର ଆବାସିକ ଭଡ଼ାଘର ଓ ପାରାଦ୍ବୀପରେ ଥିବା ତାଙ୍କ ଭାଇଙ୍କ ଘରେ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ତାଳଚେରସ୍ଥିତ ଭଡ଼ାଘରୁ ୩ ଲକ୍ଷ ୮ ହଜାର ୭୫୦ ଟଙ୍କା ଓ ୩୩୬ ଗ୍ରାମ ସୁନା ଓ ଅସ୍ତରଙ୍ଗସ୍ଥିତ ପୈତୃକ ଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ମୋଟ ୩ଟି ସ୍ଥାନରୁ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଓ ୩୩୬ ଗ୍ରାମର ସୁନା ଜବତ କରାଯାଇଥିଲା। 

Get real time updates directly on you device, subscribe now.

Leave A Reply

Your email address will not be published.