ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍ ବୁଧବାର ସନ୍ଧ୍ୟାରେ ଲାଇନ୍ଚ୍ୟୁତ ହୋଇଛି। ଏକ ଗାଈକୁ ଧକ୍କା ଦେଇ ମେମୁ ଟ୍ରେନ୍ ଟ୍ରାକ୍ରୁ ଖସିପଡ଼ିଛି। ସମ୍ବଲପୁର ସିଟି ଷ୍ଟେସନ୍ ପୂର୍ବରୁ ସରଲା ଷ୍ଟେସନ ପାଖରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ୦୮୧୬୯ ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍ ଆସୁଥିଲା। ଟ୍ରେନ୍ଟି ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସନ୍ଧ୍ୟା ୬ଟା ୨୫ରେ ସରଲା ଷ୍ଟେସନ ନିକଟରେ ରେଳଲାଇନ୍ ଉପରକୁ ଗାଈଟିଏ ଆସିଯାଇଥିଲେ। ଫଳରେ ମେମୁ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍ର ଗୋଟିଏ ବଗିର ୪ଟି ଚକା ଲାଇନ୍ଚ୍ୟୁତ ହୋଇଥିଲା। ଫଳରେ ସମ୍ବଲପୁର-ଝାରସୁଗୁଡ଼ା ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ନେଇ ସୂଚନା ମିଳିବା ପରେ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ରେଳ ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆବଶ୍ୟକୀୟ ସାମଗ୍ରୀ ସହ ରେଳଧାରଣା ଓ ବଗି ସଜାଡ଼ିବାକୁ ଆକସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇ ଘଣ୍ଟା ସମୟ ମଧ୍ୟରେ ମରାମତି କାର୍ଯ୍ୟ ସଂପନ୍ନ ହୋଇଯିବ ବୋଲି ରେଳ ବିଭାଗ ପକ୍ଷରୁ କହାଯାଇଛି।