ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ଟୁ ପ୍ଲସ୍ ଟୁ ବୈଠକ ଅନୁଷ୍ଠିତ ହୋଇଛି। ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହିତ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚୀନ୍ ଦାଦାଗିରିର ମୁକାବିଲା ପାଇଁ ଭାରତ-ଆମେରିକା ମିଳିତ ରଣନୀତିରେ କାମ କରିବେ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଭାରତରେ ପ୍ରସ୍ତୁତ ହେବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ଏହି ଆଲୋଚନାରେ ଭାରତା-କାନାଡ଼ା ବିବାଦ ମଧ୍ୟ ସାମିଲ ଥିଲା ଏବଂ ଖଲିସ୍ତାନୀ ଆତଙ୍କବାଦୀଙ୍କ ମାମଲାରେ ଉଭୟ ଦେଶର ନେତା ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ କାୟାବିସ୍ତାର ଓ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ବିଦେଶ ସଚିବ ବିନୟ କ୍ବାତ୍ରା କହିଛନ୍ତି। ଅନ୍ୟପକ୍ଷରେ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ଏବଂ ରଣନୀତିକ ଭାଗୀଦାରିତା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଉଭୟ ଦେଶର ବନ୍ଧୁତା ଆହୁରି ପ୍ରଗାଢ଼ ହୋଇଛି ବୋଲି ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ସହମତ ହୋଇଛନ୍ତି।