THE BYAPINI

ଡାକ୍ତରଙ୍କ ଉଚ୍ଚଶିକ୍ଷା ଛୁଟି ଅବଧି ୬ବର୍ଷକୁ ବୃଦ୍ଧି

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ୟ୍ୟନ୍ତ ଷ୍ଟଡିଲିଭ୍‌‌ ମିଳିବ। ସେହିପରି କାର୍ଯ୍ୟରେ ଯୋଗଦେବାର ୫ ବର୍ଷ ମଧ୍ୟରେ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ମିଳିବ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଉଚ୍ଚ ଶିକ୍ଷା ପାଇଁ ଏକ୍ସଟ୍ରା ଅର୍ଡିନାରୀ ଲିଭ୍‌‌ (ଇଓଏଲ୍‌‌) ନେଇଥିଲେ ତାହା ଡାଇନାମିକ୍‌‌ ଆସ୍ୟୁର୍ଡ କ୍ୟାରିୟର୍‌‌ ପ୍ରୋଗାମ୍‌‌ (ଡିଏସିପି) ଅନୁସାରେ ଗ୍ରହଣୀୟ ହେବ।
ପୂର୍ବ ପ୍ରଚଳିତ ନିୟମ ଅନୁସାରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସରକାରୀ ଡାକ୍ତରମାନଙ୍କୁ ୩୬ ମାସ ଅବା ୩ ବର୍ଷ ଛୁଟି ମିଳୁଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ୟା ଓ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଅବଧି ୭୨ ମାସ ଅବା ୬ ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତରମାନେ ସ୍ନାତକତ୍ତୋର କିମ୍ବା ତଦୁର୍ଦ୍ଧ ପାଠ୍ୟକ୍ରମରେ ନାମ ଲେଖାଇ ପାଠ ପଢ଼଼ା ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ। ଯେଉଁ ଡାକ୍ତରମାନଙ୍କର କାର୍ଯ୍ୟକାଳ ୫ ବର୍ଷରୁ କମ୍‌‌ ଥିବ ସେମାନଙ୍କୁ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ନ ମିଳିବା ନିୟମ ରହିଛି। ସେହିପରି ନବନିଯୁକ୍ତ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟକାଳ ୫ ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଛୁଟି ଦେବେ ବୋଲି କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ହେବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଗଲେ ମଧ୍ୟ ସରକାର ସେମାନଙ୍କ ବେତନ ପ୍ରଦାନ ଜାରି ରଖିବେ। ଶେଷ ଥର ପାଇଁ ସେମାନେ ଯେଉଁଠାରେ କାର୍ଯ୍ୟ କରିଥିଲେ ସେହିଠାରୁ ସେମାନେ ବେତନ ପାଇପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.