ଡିସେମ୍ବର ୧ ରୁ ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ କଂଗ୍ରେସ
ଭୁବନେଶ୍ବର: ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆରମ୍ଭ ହେବ ସେଥିପାଇଁ ରାଜ୍ୟର ସବୁ ଅଞ୍ଚଳରୁ ତୁଳସୀ ସଂଗ୍ରହ ଜାରି ରହିଛି। ରାଜଧାନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ସବୁ ୱାର୍ଡ, ପଞ୍ଚାୟତ, ଜଗନ୍ନାଥପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁଙ୍କ ନିକଟରୁ ତୁଳସୀ ସଂଗ୍ରହ ଜାରି ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତୁଳସୀ ଯାତ୍ରା ଉପଲକ୍ଷେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରତ୍ନଭଣ୍ଡାର ଗଣତି, ମଣତି ଓ ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା। କଂଗ୍ରେସର ବାରମ୍ବାର ଚେତାବନୀ ସତ୍ତ୍ବେ ରାଜ୍ୟ ସରକାର ନିଜ ଜିଦ୍ରେ ଅଟଳ ରହିଛନ୍ତି। ୪ଦ୍ବାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।