THE BYAPINI

ଡେଙ୍ଗୁ ସଚେତନତା ପାଇଁ ରାଜଧାନୀରେ ‘ଘର ଘର ସମ୍ପର୍କ ଅଭିଯାନ’

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀରେ ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ପ୍ରସ୍ତୁତି କରିଥିଲା ତାହା ଆଶାନୁରୂପ ଫଳ ଦେବାରେ ସଫଳ ହୋଇନାହିଁ । ଫଳରେ ଏବେ ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି । ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ରାଜଧାନୀରେ ଡେଙ୍ଗୁ ସ୍ଥିତି ସମୀକ୍ଷା କରିଛନ୍ତି । ଲୋକାମାନଙ୍କ ମଧ୍ୟରେ ଡେଙ୍ଗୁ ପ୍ରତି ସଚେତନତା ବୃଦ୍ଧି ପାଇଁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ‘ଘର ଘର ସମ୍ପର୍କ ଅଭିଯାନ’କୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଯେଉଁ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି, ସେଠାରେ ନିୟମିତ ଗୋଷ୍ଠୀ ସଚେତନତା କାର୍ଯ୍ୟ ଜାରି ରଖିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଆଚାର୍ଯ୍ୟ ବିହାର ଅଞ୍ଚଳରେ ୧୧୬ ଆକ୍ରାନ୍ତ ଥିବା ବେଳେ ନୂଆପଲ୍ଲୀ ଅଞ୍ଚଳରେ ୧୪୬ ଆକ୍ରାନ୍ତ ରହିଛନ୍ତି । ଏହି ଅଞ୍ଚଳ ସମେତ ସହିଦ ନଗର, ପଟିଆ, ଓ ୟୁନିଟ-୯ ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି । ବୈଠକରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଚିକିତ୍ସା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.