ଧର୍ମ ପ୍ରତି ଆକ୍ରମଣ ହିଁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ: ମୋଦୀ
ନୂଆଦିଲ୍ଲୀ : ଆଗକୁ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ୫୦ ହଜାର କୋଟିରୁ ଅଧିକ ଅର୍ଥ ବିନିଯୋଗରେ ନିର୍ମାଣ ହେବାକୁ ଯାଉଥିବା ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମଧ୍ୟପ୍ରଦେଶ ଗସ୍ତରେ ଯାଇ ସାଗର ଜିଲାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଥିଲେ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତାମାନେ ଅହଂକାରୀ । ସେମାନେ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ମେଣ୍ଟର କୌଣସି ନୀତି, ଆଦର୍ଶ ନାହିଁ । ଏପରିକି ଏହି ମେଣ୍ଟର କେହି ନେତା ନାହାନ୍ତି । ସନାତନ ଧର୍ମ ପ୍ରତି ଆକ୍ରମଣ କରିବା ଏହି ମେଣ୍ଟର ଉଦ୍ଦେଶ୍ୟ । ସନାତନ ଧର୍ମକୁ ଧ୍ୱଂସ କରିବା ହେଉଛି ଏକାଧିକ ବିରୋଧୀ ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନାତନ ଧର୍ମ ସ୍ୱାମୀ ବିବେକାନନନ୍ଦ ଓ ଲୋକମାନ୍ୟ ତିଲକଙ୍କୁ ପ୍ରେରଣା ଯୋଗାଇଥିଲା । ସନାତନ ଧର୍ମକୁ ବର୍ତ୍ତମାନ ସମୟରେ କେତେକ ବ୍ୟକ୍ତି ନଷ୍ଟ କରିବାକୁ ଜୋରଦାର୍ ପ୍ରୟାସ କରୁଛନ୍ତି । ଦେଶବାସୀ ଏପରି ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବା ଉଚିତ୍ । ଏପରି ବ୍ୟକ୍ତିଙ୍କୁ ଦେଶବାସୀ ଉପଯୁକ୍ତ ଜବାବ ଦେବା ଆବଶ୍ୟକ । ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ମେଣ୍ଟରେ ଥିବା ଡିଏମ୍କେ ଦଳର ନେତା ଉଦୟନିଧି ଷ୍ଟାଲିନ୍ ଓ ଏ.ରାଜା ପ୍ରମୁଖ ସନାତନ ଧର୍ମକୁ ନେଇ କେତେକ ନକାରାତ୍ମକ ଟିପ୍ପଣୀ ଦେବା ପରେ ବିଜେପି ତରଫରୁ ଏହାକୁ ବିରୋଧ ଜାରି ରହିଛି ।