ବାରଙ୍ଗ/ତ୍ରିଶୁଳିଆ: ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ୨ଟି କାସ୍ୱାରି ପକ୍ଷୀ ଆଣିଛନ୍ତି। ଏବେ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍ ରେ ରଖାଯାଇଛି। ୨୦୧୪ ନଭେମ୍ବର ରେ ନନ୍ଦନକାନନରେ ଥିବା କାସ୍ୱାରି ପକ୍ଷୀର ମୃତ୍ୟୁର ଦୀର୍ଘ ୯ ବର୍ଷ ପରେ ପର୍ଯ୍ୟଟକମାନେ ନନ୍ଦନକାନନରେ କାସ୍ୱାରି ପକ୍ଷୀ ଦେଖିବାକୁ ପାଇବେ ।
ସାଧାରଣତଃ ଗ୍ରୀଷ୍ମ ମଣ୍ଡଳ ଜଳବାୟୁ ଅଞ୍ଚଳ ଯଥା ପପୁଆ ନିୟୁ ଗୁଏନା, ଅଉରା ଆଇସ୍ଲାଣ୍ଡ(ମାଲୁକା) ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆ ଅଞ୍ଚଳରେ ଏମାନେ ଦେଖିବାକୁ ମିଳନ୍ତି। ତୃଣ, ପତ୍ର ଓ ବିଭିନ୍ନ ଫଳର ମଞ୍ଜି ଖାଇବା ସହ ମୂଷା, ଏଣ୍ଡୁଅ, କୀଟପତଙ୍ଗ ଆଦି ଆହାର କରନ୍ତି। ଡେଣା ନ ଥିବାରୁ ଉଡ଼ିପାରନ୍ତି ନାହିଁ। ଏମାନଙ୍କର ବେକ ଲମ୍ବା। ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆକର୍ଷଣୀୟ ନାଲି ପକ୍ଷୀ ଥାଏ। ମୁଣ୍ଡ ଉପରେ ଚୂଳ ଓ ବେକ ତଳେ ଟାଇ ସଦୃଶ ପକ୍ଷୀ ଓହଳି ରହିଥାଏ। ଏମାନଙ୍କ ଲମ୍ବା ଗୋଡ଼ ବେଶ୍ ଶକ୍ତ ଏବଂ ନଖ ଆକ୍ରମଣ ସମୟରେ ଆୟୁଧ ସଦୃଶ କାମ କରିଥାଏ। ଏମାନେ ମଣିଷକୁ ଆକ୍ରମଣ କରି ମାରିଦେବା ଉଦାହରଣ ରହିଛି। ଏମାନଙ୍କ ହାରାହାରି ଆୟୁ ୨୦ରୁ ୪୦ ବର୍ଷ। ଏମାନେ ସର୍ବାଧିକ ୯୦ କେଜି ଓଜନ ଓ ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ହୋଇଥାଆନ୍ତି। ହାଇଦ୍ରାବାଦରୁ ଆସିଥିବା ଏହି ହଳକ ପକ୍ଷୀରୁ ବଂଶବୃଦ୍ଧି ହେବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।