THE BYAPINI

ନବୀନଙ୍କ ପରେ ପୁରୀରେ ପାଣ୍ଡିଆନ । ବଡଦାଣ୍ଡକୁ ଭିକାରୀମୁକ୍ତ କରିବାକୁ ଘୋଷଣା ।

Get real time updates directly on you device, subscribe now.

ମୁଖ୍ୟମନ୍ତ୍ରୀଙ୍କ ପରେ ପୁରୀରେ ପାଣ୍ଡିଆନଙ୍କ ସମୀକ୍ଷା । ମନ୍ଦିର ଚାରିପାଖେ ଚାଲିଥିବା ବିକାଶ କାମର ନବୀନ ପଟ୍ଟନାୟକ ଅନୁଧ୍ୟାନ କରିବା ପରେ ଐତିହ୍ୟ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ । ଅନୁଧ୍ୟାନ କରିବା ପରେ ପାଣ୍ଡିଆନ କହିଛନ୍ତି, ୨୦୨୧ ମାର୍ଚ ସୁଦ୍ଧା ପୁରୀ ସ୍ବର୍ଗଦ୍ବାରର ପୁନରୁଦ୍ଧାର କାର‌୍ୟ୍ୟ ଶେଷ ହେବ। ଶ୍ରୀକ୍ଷେତ୍ର ଭିକାରିମୁକ୍ତ ହେବ। ବଡ଼ଦାଣ୍ଡର ସ୍ବଚ୍ଛତା ପାଇଁ ବୁଲାଗୋରୁଙ୍କୁ ଗୋ ଶାଳାରେ ରଖାଯିବ। ଏହି ଗାଈଗୋରୁଙ୍କ ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଧ୍ବସ୍ତବିଧ୍ବସ୍ତ ଶ୍ରୀକ୍ଷେତ୍ରକୁ ନୂଆ ରୂପ ଦେବା ତଥା ବିଶ୍ବର ଅନ୍ୟତମ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଲକ୍ଷ୍ୟ ନେଇ ଏଭଳି କିଛି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏହି ବିକାଶ କାର‌୍ୟ୍ୟର ଭିତ୍ତିଭୂମି ପଡ଼ିବା ଆରମ୍ଭ ହୋଇଯାଇଛି।
ପାଣ୍ଡିଆନ୍ ପ୍ରଥମେ ପୁରୀ ସ୍ବର୍ଗଦ୍ବାର ପରିଦର୍ଶନରେ ଯାଇ ଉନ୍ନୟନ କାର‌୍ୟ୍ୟର ସ୍ଥିତି ପରଖିଥିଲେ। ଲୋକଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ ସ୍ବର୍ଗଦ୍ବାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ‌ବିକାଶ କାର‌୍ୟ୍ୟ କେତେବାଟ ଆଗେଇଛି ସେ ସଂପର୍କ‌ରେ ପ୍ରଶାସନିକ ଅଧିକାରୀ ଓ ଠିକା ସଂସ୍ଥା ସହ ଆଲୋଚନା କରିଥିଲେ। ମାର୍ଚ୍ଚ ସୁଦ୍ଧା ସ୍ବର୍ଗଦ୍ବାର ପୁନରୁଦ୍ଧାର କାମ ଶେଷ କରିବାକୁ ସେ ଏହି ଅବସରରେ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର‌୍ୟ୍ୟ ଭିତରେ ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ସେଡ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।
ପାଣ୍ଡିଆନ୍ ପୁରୀର ବିଭିନ୍ନ ଗୋଶାଳା ପରିଦର୍ଶନ କରିଥିଲେ। ଉଦ୍ଧାର ହୋଇଥିବା ବୁଲା ଗାଈଗୋରୁଙ୍କ ସ୍ଥିତି ଦେଖିଥିଲେ। ବୁଲା ଗାଈଗୋରୁଙ୍କ ଯୋଗୁଁ ବଡ଼ଦାଣ୍ଡରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ସ୍ବଚ୍ଛତା ବି ନଷ୍ଟ ହେଉଛି। ଏହି ଦୃଷ୍ଟିରୁ ବଡ଼ଦାଣ୍ଡରୁ ସମସ୍ତ ବୁଲା ଗାଈଗୋରୁଙ୍କୁ ଗୋଶାଳାରେ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରା ପର ଠାରୁ ପ୍ରାୟ ୭ ଶହ ବୁଲା ଗାଈଗୋରୁଙ୍କୁ ଗୋଶାଳାରେ ରଖାଯାଇଛି। ଆଉ ମାସେ ଭିତରେ ପ୍ରାୟ ୪ ଶହ ବୁଲା ଗାଈଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ପାଇଁ ଏହି ବୁଲା ଗାଈଗୋରୁଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କରାଯିବ ବୋଲି ସ୍ଥିର ହୋଇଥିବା ବେଳେ ଏହାର ସଫଳ ରୂପାୟନ ‌ସଂପର୍କରେ ବି ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ।
୮ ମାସ ତଳୁ ବଡ଼ଦାଣ୍ଡକୁ ଭିକାରିମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଥିବାବେଳେ ଏ ଭିତରେ ୫ ଶହ ଭିକାରିଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଇଛି। ଯେଉଁଥିରୁ ୧୫୦ ଜଣ ଭିକାରି ସେମାନଙ୍କ ପରିବାରଙ୍କ ପାଖକୁ ଫେରି ଯାଇଛନ୍ତି। ଏହି ଅଭିଯାନ ଅଦ୍ୟାବଧି ଜାରି ରହିଥିବାବେଳେ ଏ ବାବଦ ସହାୟତା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ଏ ସଂପର୍କରେ ବି ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ ରହିଥିବା ଭିକାରିମାନଙ୍କୁ ପ୍ରତ୍ୟକ୍ଷ ଭେଟି ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବାଙ୍କିମୁହାଣ, ଏହା ସଂଲଗ୍ନ ପାର୍କ ଓ ବ୍ଲୁ ଫ୍ଲା ବିଚ୍ ବି ପରିଦର୍ଶନ କରିଥିଲେ। ଶ୍ରୀ ପାଣ୍ଡିଆନ୍‌ଙ୍କ ସହ କଟକ ଓ ଭୁବନେଶ୍ବର ମହାନଗର ନିଗମର କମିସନର୍ ବି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଉଭୟ କଟକ ଓ ଭୁବନେଶ୍ବରକୁ ବୁଲା ଗୋରୁ ଓ ଭିକାରି ମୁକ୍ତ କରିବା ଲାଗି ପୂରୀ ଶୈଳୀରେ କାର‌୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଉଭୟ ମହାନଗର କମିସନର ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.