ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଲାଗୁ କରାଗଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ଯିବା ପୂର୍ବରୁ ଭକ୍ତଙ୍କ ପୋଷାକ ଉପରେ ଦିଆଯିବ ଧ୍ୟାନ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ ।
ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି ‘ପୋଷାକ’ କଟକଣା ଲାଗୁ କରାଯିବ । ଏହାସହିତ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ନିୟମ ନେଇ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ସଚେତନ କରାଯିବ । ତେବେ ଏହାର ତଦନ୍ତ ଦାୟିତ୍ୱ ଜେଟିପି ଏବଂ ପ୍ରତିହାରୀ ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି ।