THE BYAPINI

ନେହରୁ ପିଓକେ ପାଇଁ ଦାୟୀ: ଅମିତ ଶାହ

Get real time updates directly on you device, subscribe now.

ନୂଆଦିଲ୍ଲୀ:  ପାକିସ୍ତାନ ଅଧିକୃତ କଶ୍ମୀର  ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଉପରେ ବିତର୍କ ବେଳେ ଶ୍ରୀ ଶାହ ଏହି କଥା କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ।

ଅମିତ ଶାହ କହିଥିଲେ, ପଣ୍ଡିତ ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା। ନହେଲେ ସେହି ଅଂଶ ବି କଶ୍ମୀରର ହୋଇ ରହିଥା’ନ୍ତା। ନେହରୁଜୀ ପିଓକେ ପାଇଁ ଦାୟୀ। ନେହରୁଜୀ କହିଥିଲେ ଯେ ଏହା ଏକ ଭୁଲ୍ ଥିଲା। ଏହା ଭୁଲ୍ ନଥିଲା। ଏହା ଏକ ବଡ଼ ଭୁଲ୍ ଥିଲା। ଫଳରେ ଦେଶ ଏକ ବଡ଼ ଭୂଭାଗ ହରାଇଲା। ତାଙ୍କର ଏହି ମନ୍ତବ୍ୟ ଶୁଣିବା ପରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହା ଦେଖି ଶ୍ରୀ ଶାହ କହିଥିଲେ, ବଡ଼ ଭୁଲ୍‌ କହିଦେବାରୁ ସେମାନେ ରାଗିଗଲେ। ଯଦି ମୁଁ ହିମାଳୟ ଭଳି ଭୁଲ୍‌ ବୋଲି କହିଥା’ନ୍ତି, ତା’ହେଲେ ସେମାନେ ଇସ୍ତଫା ଦେଇ ଚାଲି ଯାଇଥା’ନ୍ତେ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବାନୁଯାୟୀ, ନେହରୁଙ୍କ ଦୁଇଟି ଭୁଲ୍ ଯୋଗୁ ଜମ୍ମୁ ଓ କଶ୍ମୀର କ୍ଷତିଗ୍ରସ୍ତ ହୋଇଥିଲା। ଗୋଟିଏ ହେଉଛି ଅସ୍ତ୍ରବିରତି ଘୋଷଣା ଓ ଅନ୍ୟଟି କଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବା। ଯଦି ତିନି ଦିନ ପରେ ଅସ୍ତ୍ରବିରତି ଘୋଷଣା ହୋଇଥା’ନ୍ତା, ପିଓକେ ଆଜି ଭାରତର ଅଂଶ ହୋଇ ରହିଥା’ନ୍ତା। ସେହିପରି ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଜାତିସଂଘକୁ ନେବାର ନଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.