ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ଏହାସହିତ ଦଳ ସୁଚିନ୍ତିତ ରଣନୀତି ମାଧ୍ୟମରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରିଛି । ପୂର୍ବରୁ ଲୋକସଭା ଦାୟିତ୍ୱରେ ୨୧ ସଂଯୋଜକଙ୍କୁ ନିଯୁକ୍ତି ଦେଇଥିବା କଂଗ୍ରେସ ଏବେ ବିଧାନସଭା ମଣ୍ଡଳୀ ଦାୟିତ୍ୱରେ ନିଜର ୧୪୭ଜଣ ନେତାଙ୍କୁ ଅବସ୍ଥାପିତ କରିଛି । ଏହାସହିତ ନିର୍ବାଚନୀ ୱାରରୁମ୍ ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି । ନିର୍ବାଚନ ପାଇଁ ଦଳ ଆସନ୍ତା ୨୩ରୁ ୨ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି । ଦଳର ନବନିଯୁକ୍ତ ପିସିସି ପ୍ରଭାରୀ ଅଜୟ କୁମାର ୨୨ରୁ ୨୮ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବିଭିନ୍ନ ସାଂଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶରେ ପଂଚାନନ କାନୁନଗୋଙ୍କୁ ପ୍ରଦେଶ କଂଗ୍ରେସର ୱାରରୁମ୍ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ୱାରରୁମ୍ କମିଟିର ଅନ୍ୟ ସଦସ୍ୟ ଭାବେ ବିସ୍ମୟ ମହାପାତ୍ର, ଜିନେଶ ଦାସ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଅଛନ୍ତି । ତରୁଣକାନ୍ତ ମିଶ୍ରଙ୍କୁ କମିଟିର ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗତକାଲି ରାଜ୍ୟର ୧୪୭ ବିଧାନସଭା ମଣ୍ଡଳୀ ପାଇଁ ୧୪୭ଜଣ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି । ନିର୍ବାଚନ ଶେଷ ପର୍ୟ୍ୟନ୍ତ ସେମାନେ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।