କଟକ: ଚାଲିଗଲେ ଟିଙ୍ଗା ରାଜୁ । ପ୍ରଖ୍ୟାତ୍ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଜକିଶୋର ଦାସ(ଟିଙ୍ଗା ରାଜୁ)ଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । କଟକ ତୁଳସୀପୁର ସ୍ଥିତ ବାସଭବନରେ ସୋମବାର ସକାଳ ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଛି । କଟକସ୍ଥିତ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଜଣେ ସଫଳ ଭେଷଜ ବିଶେଷଜ୍ଞ ହେବା ସହିତ ଜଣେ ସୁନାମଧନ୍ୟ ଫୁଟବଲ ଓ ଟେନିସ୍ ଖେଳାଳି ଭାବେ ମଧ୍ୟ ପରିଚିତ ଥିଲେ । ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ଫୁଟବଲ ଟିମ୍ର ଅନେକ ଥର ନେତୃତ୍ୱ ନେଇଛନ୍ତି । ଏପରିକି ୧୯୮୧ରେ ଟେନିସ୍ ଡବଲ୍ସରେ ଚମ୍ପିଆନ ବି ହୋଇଥିଲେ । କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ପାଠପଢା ସହ ଖେଳକୁଦ ଓ ସାମଗ୍ରୀକ ପ୍ରତିଭା ପାଇଁ ତାଙ୍କୁ ଅଲ୍ରାଉଣ୍ଡର ଟ୍ରଫି ପ୍ରଦାନ କରାଯାଇଥିଲା । ରୋଗୀଙ୍କର ରୋଗ ଚିହ୍ନଟ ଓ ଚିକିତ୍ସାରେ ତାଙ୍କର ବିଚକ୍ଷଣ ପ୍ରତିଭା ରହିଥିଲା ତେଣୁ ଟିଙ୍ଗା ସ୍ୱଭାବ ସତ୍ତେ୍ୱ ଲୋକମାନେ ତାଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯାଉଥିଲେ । ସାରା ସହର ତାଙ୍କୁ ଟିଙ୍ଗା ରାଜୁ ନାମରେ ଚିହ୍ନିଥିଲା ।