ଖୋର୍ଦ୍ଧା: ସାଧାରଣ ନିର୍ବାଚନ ୨୦୨୪ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ବି ସେତିକି ବେଗରେ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟିକେଟ ଆଶାୟୀମାନେ ପୂଜା ପାର୍ବଣ ସମୟରେ ଲୋକଙ୍କର ନିକଟତର ହେବାର ସୁଯୋଗ ଖୋଜୁଥିବାବେଳେ ସେମାନଙ୍କର କଟ୍ଟର ବିରୋଧିମାନଙ୍କୁ ବି ମୌକା ମିଳିଯାଉଛି ନିଜ ମନର ପୁଞ୍ଜିଭୁତ ରାଗ କାଢ଼ିବାକୁ । କେଉଁଠି କାଳି ମାଡ ତ କେଉଁଠି ଅଣ୍ଡା ଓ ଟମାଟୋ ମାଡର ରୀତିମତ ଖବର ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି । ଆଜି ଚିଲିକାର ପୂର୍ବତ୍ତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁଙ୍କ ଉପରେ ହୋଇଥିବା ଅଣ୍ଡା ଓ ଟମାଟୋ ମାଡ ଏହାର ସଦ୍ୟତମ ଉଦାହରଣ । ଚିଲିକା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବାଣପୁର ଥାନା ତଥା ବାଣପୁର ଏନ୍ଏସିର ଜଗନ୍ନାଥପୁର ବିଷରପାଟଣା ଛକରେ ଘଟିଛି ଏହି ଘଟଣା । କିଛି ଲୋକଙ୍କ ସହିତ ବସି ଚା’ ପିଉଥିବା ସମୟରେ ରଘୁନାଥଙ୍କୁ ବିଜେଡିର ଅନ୍ୟ ଏକ ଗୋଷ୍ଠୀର ୨୦-୩୦ ସଦସ୍ୟ ଆସି ହଠାତ ତାଙ୍କ ଗାଡି ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ଫଳରେ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଖବର ପାଇ ସ୍ଥାନୀୟ ପୋଲିସ୍ ଆସି ପରିସ୍ଥିିତିକୁ ନିୟନ୍ତ୍ରଣ କରିଥିବା ଖବର ମିଳିଛି ।