ଭୁବନେଶ୍ବର :ଅକ୍ଟୋବର ମାସ ଦେଶରେ ବିଶେଷକରି ଓଡ଼ିଶାରେ ବାତ୍ୟା ଋତୁ ଭାବେ ଜଣାଶୁଣା । ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ର ହୁଡହୁଡ ବା ୨୦୧୮ର ତିତିଲି ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ଆସିଥିଲା ଓ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଛି । ଓଡ଼ିଶା ସମେତ ଦେଶର ଅଧିକାଂଶ ଅଂଚଳରୁ ମୌସୁମୀ ଅପସରିଯାଇଛି । ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଦେଶର ଉଭୟ ପାର୍ଶ୍ବ ଆରବ ସାଗର ଓ ବଙ୍ଗୋପାସଗରେ ଏକା ସମୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା କାଲି ସୁଦ୍ଧା ଲଘୁଚାପ ରୂପ ନେବ ଓ ଆରବ ସାଗରରେ ଏହା ବାତ୍ୟାରୂପ ନେବ। ତେବେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳଠାରୁ ଦୂରକୁ ଯିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ତାହା ଆସନ୍ତା ୩୬ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ୨୦-୨୧ ତାରିଖ ବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଏକ ଡିପ୍-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ତାପରେ ଏହା ବାତ୍ୟା ରୂପ ନେବକି ନାହିଁ ତାହା ଏବେଠାରୁ କହିବା ସମ୍ଭବ ନୁହେଁ । କିନ୍ତୁ ସମୁଦ୍ରର ପାଣିପାଗସ୍ଥିତିକୁ ଦେଖିଲେ ତାହା ବାତ୍ୟା ରୂପ ନେବା ଅସମ୍ଭବ ନୁହେଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି