ଭୁବନେଶ୍ବର : ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମ ରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।