ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ଶାସ୍ତ୍ରରେ ଉଚ୍ଚକୋଟିର ଗବେଷଣା ପାଇଁ ଆଇୟୁପିଏସି ପୁରସ୍କାର ମିଳିଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ବୈଜ୍ଞାନିକ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଗତ ସପ୍ତାହରେ ନେଦରଲ୍ୟାଣ୍ଡଠାରେ ଆଇୟୁପିଏସି ର ଅଧ୍ୟକ୍ଷ ପ୍ରଫେସର ଜାଭିୟର-ଜି- ମାର୍ଟିନେଜଙ୍କ ଠାରୁ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କଟକର ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠ ନାଥ ପାତ୍ରଙ୍କର ସୁଯୋଗ୍ୟା କନ୍ୟା ହେଉଛନ୍ତି ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗାଁର ବୈଜ୍ଞାନିକ ରଶ୍ମି ରଂଜନ ମହାନ୍ତିଙ୍କୁ ବିବାହ କରିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ସୂଚନା ମିଳିଛି ।
ଦେଶର ପ୍ରଥମ ମହିଳା ଭାବରେ ସମ୍ମାନ ଜନକ ଆଇୟୁପିଏସି ପୁରସ୍କାର- ୨୦୨୩ ପାଇଥିବାରୁ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବାଲିକୁଦା ଏରସମାର ବିଧାୟକ ରଘୁ ନନ୍ଦନ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଏହି ସଫଳତା ଭବିଷ୍ୟତରେ ଅନେକ ନୂଆ ବୈଜ୍ଞାନିକମାନଙ୍କ ପାଇଁ ପ୍ରେରଣା ହେବ ।
Get real time updates directly on you device, subscribe now.
