ଭୁବନେଶ୍ୱର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା। ପୋଷ୍ଟର ଚିରିବା ବିବାଦକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗରେ ବିଧାନସଭା ଆଗରେ ପ୍ରତିବାଦ କରିବେ ପ୍ରଯୋଜିକା ସନଲିସା ପଟେଲ | ଆସନ୍ତା ୨୩ ତାରିଖରୁ ନ୍ୟାୟ ପାଇଁ ବିଧାନସଭା ସାମ୍ନାରେ ପ୍ରତିବାଦରେ ବସିବେ ପ୍ରଯୋଜିକା ସନଲିସା ପଟେଲ | ସନଲିସାଙ୍କ ଅଭିଯୋଗ ହେଉଛି ଯେ, ପଶ୍ଚିମ ଓଡ଼ିଶାରେ ଫିଲ୍ମ ବିବାଦ ଯୋଗୁଁ ଯେଉଁ ନିର୍ମାତାମାନଙ୍କ କ୍ଷତି ହୋଇଛି ସେମାନେ ମୋ ସହ ପ୍ରତିବାଦରେ ସାମିଲ ହୋଇପାରିବେ | ବାସ୍ତବରେ ଝାରସୁଗୁଡ଼ାର ଝିଅ ଓ ସମ୍ବଲପୁରର ବୋହୂ ସନ୍ଲିସା ପଟେଲଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରଥା’ ୫ ଦିନ ତଳେ ସାରା ଓଡ଼ିଶାର ୪୮ଟି ହଲ୍ରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଦର୍ଶକୀୟ ଆଦୃତି ପାଇଥିଲେ ମଧ୍ୟ ଏହା ପରଦିନ ସବୁ ହଲ୍ରୁ ହଟାଇ ନେବାର ନିଷ୍ପତ୍ତି ନେଇଥିଲେ ‘ପ୍ରଥା’ର ପ୍ରଯୋଜିକା ଶ୍ରୀମତୀ ପଟେଲ। ସେ ଅଭିଯୋଗ କରିଥିଲେ ଯେ ଝାରସୁଗୁଡ଼ାର ଗୋଟିଏ ହଲ୍ରେ ‘ପ୍ରଥା’ର ପ୍ରଥମ ସୋ’ ଚାଲିଥିବାବେଳେ ହଠାତ୍ କିଛି ଲୋକ ବାଇକ୍ରେ ଆସି ଗଣ୍ଡଗୋଳ କରିଥିଲେ। ଏଥିସହ ସେମାନେ ପୋଷ୍ଟର ଓ ବ୍ୟାନର ଚିରି ପକାଇଥିଲେ। ସୋ’ ବନ୍ଦ ପାଇଁ ଧମକ ଦେବା ସହ ଓଡ଼ିଆ ଫିଲ୍ମ ବିରୋଧରେ ନାରା ଦେଇଥିବା ପ୍ରଯୋଜିକା ଅଭିଯୋଗ କରିଥିଲେ। କିଛି ଲୋକ ତାଙ୍କ ଫିଲ୍ମ ବଦଳରେ ‘ମାଇଣ୍ଡ୍ ଗେମ୍’ ଫିଲ୍ମ ପ୍ରଦର୍ଶନ କରିବାଲାଗି ବାଧ୍ୟ କରିଥିଲେ ବୋଲି ସେ କହିଥିଲେ। ଏହାପରେ ‘ପ୍ରଥା’ର ପ୍ରଯୋଜିକା ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ଦ୍ବାରସ୍ଥ ହୋଇଥିଲେ | ଏହି ପୋଷ୍ଟର ଚିରା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ଚାରି ଜଣ ପୋଷ୍ଟର ଚିରିଥିଲେ ସେମାନଙ୍କ ସହ ତାଙ୍କର ସଂପର୍କ ନାହିଁ ବୋଲି ମନୋଜ ମିଶ୍ର କହିବା ଆବଶ୍ୟକ। ପୋଷ୍ଟର ଚିରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି ମନୋଜ ମିଶ୍ର କହିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଦାବୀ କରୁଛନ୍ତି ସନଲିସା।