THE BYAPINI

ଫର୍ଣ୍ଣିଚର୍‌ ମାର୍କେଟ୍‌ରେ ରାହୁଲ୍‌ ଗାନ୍ଧୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ନେତା ଦିଲ୍ଲୀର କୀର୍ତ୍ତି ନଗର ଆସବାବ୍‌ପତ୍ର ବଜାରକୁ (ଫର୍ଣ୍ଣିଚର୍‌ ମାର୍କେଟ୍‌) ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ ଆଳାପ କରିଛନ୍ତି। ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ ରାହୁଲ୍‌ ଗାନ୍ଧୀଙ୍କର ଏ ଧରଣର ତୃତୀୟ ଗସ୍ତ। ଅଗଷ୍ଟ ମାସରେ ସେ ଆଜାଦପୁର ମଣ୍ଡି ଯାଇ ଫଳ ଓ ପନିପରିବା ଦୋକାନୀମାନଙ୍କୁ ସାକ୍ଷାତ କରିଥିଲେ। ଅଳ୍ପ ଦିନ ତଳେ ସେ ଆନନ୍ଦ ବିହାର ରେଳ ଷ୍ଟେସନ୍‌ ଯାଇ କୁଲିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।

ଗୁରୁବାର ଦିନ ଆସବାବ୍‌ପତ୍ର ବଜାରରେ ଗାନ୍ଧୀ ବଢ଼େଇମାନଙ୍କ ସହିତ ଭାବବିନିମୟ କରିବା ବେଳେ ସେମାନଙ୍କ ଅସୁବିଧା କଥା ଶୁଣିବା ସହିତ କେତେକ ଆସବାବ୍‌ପତ୍ର ତିଆରି କରିବାକୁ ପ୍ରୟାସ କରିଥିଲେ। ‘ଏକ୍ସ୍‌’ ପୋଷ୍ଟ୍‌ରେ ଗାନ୍ଧୀ ଲେଖିଛନ୍ତି, ଆଜି ମୁଁ ଦିଲ୍ଲୀ କୀର୍ତ୍ତି ନଗରସ୍ଥିତ ଏସିଆର ବୃହତ୍ତମ ଆସବାବ୍‌ପତ୍ର ବଜାରକୁ ଯାଇ ବଢ଼େଇଭାଇମାନଙ୍କୁ ଭେଟିଲି। କର୍ମଠ ହେବା ସହିତ ସେମାନେ ଅଦ୍ଭୁତ ଶିଳ୍ପୀ ମଧ୍ୟ। ମଜଭୁତ ଓ ସୁନ୍ଦର ସାମଗ୍ରୀ ତିଆରି କରିବାରେ ସିଦ୍ଧହସ୍ତ।

ଆମେ ବହୁତ ବିଷୟରେ କଥାବାର୍ତ୍ତ ହେଲୁ, ସେମାନଙ୍କ ଦକ୍ଷତା ବିଷୟରେ ସାମାନ୍ୟ ଅବଗତ ହେବା ସହିତ ସେମାନଙ୍କଠାରୁ ଟିକେ କାମ ଶିଖିବାକୁ ପ୍ରୟାସ କଲି ବୋଲି ସେ ଲେଖିଛନ୍ତି। କଂଗ୍ରେସ ପାର୍ଟି ମଧ୍ୟ ରାହୁଲ୍‌ ଗାନ୍ଧୀଙ୍କ କୀର୍ତ୍ତିନଗର ଗସ୍ତକାଳୀନ ଫଟୋ ‘ଏକ୍ସ’ରେ ସେୟାର୍‌ କରିଛି। ଫଟୋରେ ଦେଖାଯାଉଛି, ଗାନ୍ଧୀ ଆସବାବ୍‌ପତ୍ର ତିଆରି ନିମନ୍ତେ ଆବଶ୍ୟକ ଉପକରଣ ବ୍ୟବହାର କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.