ଭୁବନେଶ୍ୱର : ଭୀଷଣ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ପାଗ କୋହଲା ରହିଛି। ମଙ୍ଗଳବାର ପାଇଁ ରାଜ୍ୟର କେତେକ ସ୍ଥାନରେ ବର୍ଷା,ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ରାୟଗଡାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ପାଇଁ ଆଗାମୀ ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସଭିଁଙ୍କୁ ନିରାପଦ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ଦନ୍ଧିଣ ଆନ୍ଧ୍ରର ବାପାଟ୍ଲାରେ ସ୍ଥଳଭାଗ ଛୁଇଁବା ପରେ ମଙ୍ଗଳବାର ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ପ୍ରଭାବ ଦକ୍ଷିଣ ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ ପୂର୍ବରୁ ଦେଖା ଦେଇଥିଲା। ବିଶେଷ କରି ତାମିଲନାଡୁ ଏବଂ ପୁଡୁଚେରୀ ଅଧିକ ପ୍ରଭାବିତ ହୋଇଥିଲା। ଏଠାରେ ପ୍ରବଳ ବର୍ଷା ପରେ ବିଭିନ୍ନ କାରଣରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି। ମଙ୍ଗଳବାର ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତାମିଲନାଡୁର ଚେନ୍ନାଇରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମଙ୍ଗଳବାର କମ୍ ବର୍ଷା ପରେ ମଧ୍ୟ ଅନେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପ୍ରବେଶ କରିଥିଲା। ଏହା ସହ ଜଡିତ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।