ବାତ୍ୟା: ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିଯାଇଛି। ରବିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସୋମବାର ଏହି ସ୍ଥିତିରେ ଆହୁରି ପରିବର୍ତ୍ତନ ଆସିବା ସହ ରାଜ୍ୟର କିଛି ସ୍ଥାନରେ ବାତ୍ୟା ଯୋଗୁଁ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଧୀରେ ଧୀରେ ବର୍ଷାର ପ୍ରକୋପ ବୃଦ୍ଧି ହେବା ସହ ୫ ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପବନର ବେଗ ବଢ଼଼ି ୬୦ କିମି ପର୍ୟ୍ୟନ୍ତ ପହଞ୍ଚିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବାତ୍ୟା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ୪ ତାରିଖ ପୂର୍ବାହ୍ନ ବେଳକୁ ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବ। ଏହାପରେ ଉତ୍ତର ଦିଗରେ ପ୍ରାୟ ସମାନ୍ତରାଳ ଭାବେ ଗତିକରିବା ସହ ଭୀଷଣ ବାତ୍ୟାର ରୂପନେଇ ୫ ତାରିଖ ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିମି. ଏବଂ ଝଟକା ପବନର ବେଗ ୧୧୦ କିମି. ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରଗୁଡିକ ପାଇଁ ୨ ନଂବର ବିପଦ ସଂକେତ ଜାରି କରାଯାଇଛି। ସୋମବାର ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଭଳି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ସେହିପରି ୫ତାରିଖରେ ଏହି ୫ ଜିଲ୍ଲାରେ ବର୍ଷାର ପ୍ରକୋପ ବଢ଼ି ପ୍ରବଳରୁ ଅତି ପ୍ରବଳ (୭-୧୧ ସେମି) ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।