କଟକ: କନ୍ୟାଭୃଣ ହତ୍ୟା ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଓ କଡା ଆଇନ୍ ପ୍ରଣୟନ କରିବା ସତ୍ତେ୍ୱ ବେଆଇନ୍ ଭାବରେ ଲିଙ୍ଗ ନିରୂପଣ ଏବେ ବି ଜାରି ରହିଛି । କଟକ ସହରର ବାଦାମବାଡି ଓ ଲିଙ୍କ ରୋଡ ଭଳି ଅଞ୍ଚଳରୁ ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ ଲୋକଙ୍କୁ ଗିରଫ କରାଯାଇଛି । ବାଦାମବାଡି ଓ ଲିଙ୍କରୋଡ୍ ଅଞ୍ଚଳରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍ରେ ଆଜି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଡ୍ରଗ୍ସ କଂଟ୍ରୋଲ୍ ବିଭାଗ ମିଳିତ ଭାବେ ବାଦାମବାଡିର ରକ୍ସି ଲେନ୍, ଆଳି କ୍ୟାମ୍ପସ ଓ ଲିଙ୍କରୋଡ୍ରେ ଥିବା ହେଲ୍ଥ କେୟାର୍ ହସ୍ପିଟାଲ୍ରେ ଚଢ଼ଉ କରି ୨ଟି ଅଣପଞ୍ଜିକୃତ ପୋର୍ଟବୁଲ୍ ଅଲଟ୍ରାସାଉଣ୍ଡ ମେସିନ୍, ମେସିନ୍ର ବିଭିନ୍ନ ଉପକରଣ, ଗର୍ଭପାତରେ ବ୍ୟବହାର ହେଉଥିବା ବିପୁଳ ପରିମାଣର ଔଷଧ, ସାଲାଇନ୍ ଓ ଇଞ୍ଜେକସନ୍ ଆଦି ଜବତ୍ କରିଛନ୍ତି । ଏଥିସହିତ ଏହି ଟିମ୍୨ଟି ଅଣପଞ୍ଜିକୃତ କ୍ଲିନିକ୍ ଓ ହେଲ୍ଥ କେୟାର୍ ହସ୍ପିଟାଲ୍କୁ ସିଲ୍ କରିଛନ୍ତି । ଚଢ଼ଉ ସମୟରେ ଜଣେ କ୍ୱାକ୍ ଫେରାର୍ ହୋଇଯାଇଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ବାଦାମବାଡି ପୁଲିସକୁ ହସ୍ତାନ୍ତର କରିଛି । କ୍ଲିନିକ୍ରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଗର୍ଭପାତ କରାଯାଉଥିବା ସୂଚନା ମିଳିଛି । ଦୁଇଟି ସ୍ଥାନରେ ଭଡାଘରେ ଏହି ଅଣପଞ୍ଜିକୃତ କ୍ଲିନିକ୍ ଚାଲିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଦଲାଲ ମାଧ୍ୟମରେ ସେମାନେ ଗର୍ଭବତୀଙ୍କୁ ଟାର୍ଗେଟ କରୁଥିଲେ । ବାଦାମବାଡି ବସ୍ଷ୍ଟାଣ୍ଡ ନିକଟ ରକ୍ସି ଲେନ୍ ଓ ଆଳି କ୍ୟାମ୍ପସ୍ରେ ଭଡାଘର ନେଇ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ୍ ରଖି ବେପାର ଚଳାଉଥିଲେ । ଲିଙ୍ଗ ନିରୂପଣ ପାଇଁ ୭/୮ହଜାର ଟଙ୍କା ଓ ଗର୍ଭପାତ ପାଇଁ ମନଇଚ୍ଛା ଅର୍ଥ ଦାବି କରୁଥିଲେ । ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା । ଏହି କାରବାର ପଛରେ ୨ଜଣ ଡାକ୍ତରଙ୍କ ସଂପୃକ୍ତି ରହିଥିବା ନେଇ ବି ଚର୍ଚ୍ଚା ହେଉଛି ।