ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯାଆସ ସ୍କ୍ରବ୍ ଟାଇଫସ୍ର କାରଣ:କେନ୍ଦ୍ରୀୟ ଟିମ୍ ରିପୋର୍ଟ
ଭୁବନେଶ୍ବର: ବାହାରେ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ। ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବା ସହିତ ୪ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏହି ଜିଲ୍ଲାକୁ ଗୁରୁତ୍ବ ଦେଇ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ହେଲେ ଏହି ରିପୋର୍ଟ କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଗମ୍ଭୀର ସ୍ଥିତିକୁ ସୂଚୀତ କରିଛି। ଏଇଥିପାଇଁ ଯେ କେନ୍ଦ୍ରୀୟ ଟିମ୍ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା ପରିଦର୍ଶନ କରିଥିଲେ ହେଁ ପରବର୍ତୀ ସମୟରେ ୨ଜଣ ଅଧିକାରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂପର୍କିତ ମହାମାରୀ ଅନୁସନ୍ଧାନ ପାଇଁ ପଠାଯାଇଥିଲା। ସେମାନେ ଏହି ରିପୋର୍ଟ ଇତିମଧ୍ୟରେ ପ୍ରଦାନ କରିଛନ୍ତି।
ରିପୋର୍ଟରେ କୁହାଯାଇଛି, ଏବର୍ଷ ସୁନ୍ଦରଗଡ଼ରେ ୪ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ କୋଇଡ଼ା ବ୍ଲକ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ୍ ସ୍କ୍ରବ୍ ଟାଇଫସ୍ରେ ପ୍ରଭାବିତ ହୋଇଛି। ୧୫ବର୍ଷରୁ କମ୍ ୩୦%, ୩୧-୪୫ବର୍ଷର ୨୩% ଓ ୪୬-୭୦ବର୍ଷର ୧୭% ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତହିଁରୁ ୫୦% ଘାସରେ ବସିବା-ଶୋଇବା, ଖାଲି ପାଦରେ ଚାଲିବା କିମ୍ବା ଜଙ୍ଗଲ ଦେଇ ଯିବାଆସିବା ସମୟରେ ଆକ୍ରାନ୍ତ ହୋଇଛନ୍ତି। ୪୯% ଲୋକ ବାହାରେ ମଳ ତ୍ୟାଗ କରୁଥିବା କହିଛନ୍ତି। ଅଗଷ୍ଟ-ଅକ୍ଟୋବର ମଧ୍ୟରେ ଯେଉଁ ୪ଜଣଙ୍କ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁ ହୋଇଥିବା କୁହାଯାଇଛି ସମସ୍ତ ମୃତକଙ୍କ ଟେଷ୍ଟିଂ ବିଳମ୍ବିତ ହୋଇଛି। ସେମାନଙ୍କ ବୟସ ୨୮-୬୫ବର୍ଷ ଭିତରେ ରହିଛି। ତେବେ ପୂରା ଟିମ୍ ଆଉ ଏକ ରିପୋର୍ଟ ଖୁବ୍ ଶୀଘ୍ର ପ୍ରଦାନ କରିବ ବୋଲି ସୂଚନା ମିଳିଛି।