ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜୁ ଜନତା ଦଳରେ ସାମିଲ ହୋଇ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍ ପାଣ୍ଡିଆନ। ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଯୋଗଦାନ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଏହି ସମୟରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଗତ ମାସ ଶ୍ରୀ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଥିଲା। ଏହାପରେ ସେ ବିଜେଡିରେ ଯେକୌଣସି ସମୟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର୍ରୁ ଶ୍ରୀ ପାଣ୍ଡିଆନ୍ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲା ପରେ ନବୀନ ନିବାସରେ ପହଞ୍ଚିଥିଲେ। ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଲୋକଙ୍କ ପାଇଁ ଶ୍ରୀ ପାଣ୍ଡିଆନ ବିଗତ କିଛି ବର୍ଷ ହେଲା କଠିନ ପରିଶ୍ରମ କରୁଛନ୍ତି। ସେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଏବେ ଦଳର ଜଣେ ସଦସ୍ୟ ଭାବେ ସେ ରାଜ୍ୟବାସୀଙ୍କ ପାଇଁ କାମ ଜାରି ରଖିବେ। ଶ୍ରୀ ପାଣ୍ଡିଆନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ବରିଷ୍ଠ ନେତାମାନଙ୍କ ସହଯୋଗରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଓ ନିଃସ୍ବାର୍ଥପର ଭାବେ କାମ କରିବେ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ବ୍ୟାଚ୍ ପିନ୍ଧାଇଥିଲେ। ଏହା ପରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ସେଠାରୁ ସେ ସିଧାସଳଖ ଶଙ୍ଖ ଭବନ ଯାଇ ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।