ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି: ବିଜେପି
ଭୁବନେଶ୍ୱର: ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି । କଲେଜ କ୍ୟାମ୍ପସରେ ଦଳୀୟ ପତାକା ଉଡୁଛି, ବ୍ୟାନର ଲାଗିଛି, ଶଙ୍ଖ ଚିହ୍ନ ଲଗାଇ ପ୍ରଚାର ହେଉଛି ଏବଂ ନୂଆ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କ୍ଲାସ ଭିତରେ କ୍ୟାମ୍ପେନ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଗୋଟିଏ ପଟେ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ୬ ବର୍ଷ ହେଲା ବନ୍ଦ କରି ଆସୁଛନ୍ତି । ଅନ୍ୟପଟେ ଦଳୀୟ ନେତା ଆଗାମୀ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସରେ ରାଜନୀତିର ମାହୋଲ ତିଆରି କରିବାରେ ଲାଗିଛନ୍ତି । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ରଖି ନିଜର ରାଜନୈତିକ ଫାଇଦା ପାଇଁ ଶାସକ ବିଜେଡି କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ।
ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ଲିଙ୍ଗଡୋ କମିଶନ ନିୟମକୁୁ ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର । ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଓଡ଼ିଶାର ଛାତ୍ରନେତା ଆଜି ଦେଶର ବଡ ବଡ ପଦବୀରେ ନିଜର ଦକ୍ଷତା ଦେଖାଉଛନ୍ତି । ଦେଶର ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନେକ ବ୍ୟକ୍ତିତ୍ୱ ଛାତ୍ର ନେତାରୁ ଆସି ଦେଶର ବିକାଶରେ ପ୍ରମୁଖ ଚେହେରା ପାଲଟିଛନ୍ତି । ଏବେର ଛାତ୍ରଛାତ୍ରୀମାନେ କାଳେ ଆଗାମୀ ଦିନରେ ଓଡିଶାର ନେତୃତ୍ୱ ନେଇଯିବେ ସେହି ଭୟ ବିଜେଡିକୁ ଘାରିଛି । ଛାତ୍ର ନେତାଙ୍କୁ ରାଜ୍ୟସରକାର କାହିଁକି ଡରୁଛନ୍ତି ବୋଲି ଶ୍ରୀ ଠାକୁର ପ୍ରଶ୍ନ କରିବା ସହ ଆଗାମୀ ନିର୍ବଚାନରେ ଛାତ୍ରଛାତ୍ରୀମାନେ ଏହି ଅନ୍ୟାୟ ବିରୁଦ୍ଧରେ ଉଚିତ୍ ଜବାବ ଦେବେ ବୋଲି ଠାକୁର କହିଛନ୍ତି ।